ସୁସ୍ଥ ହେଉଛନ୍ତି ଋଷଭ ପନ୍ତ; ୨ ସପ୍ତାହ ମଧ୍ୟରେ ହସ୍ପିଟାଲରୁ ହୋଇପାରନ୍ତି ଡିସଚାର୍ଜ

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ସୁସ୍ଥ ହେଉଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ମୁମ୍ବାଇରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ।କ୍ରିକେଟ୍‌ ପ୍ରଶଂସକଙ୍କ ତଥା ପନ୍ତଙ୍କ ଶୁଭେଚ୍ଛୁଙ୍କ ପାଇଁ ଖୁସି ଖବର ହେଉଛି ଜି ଆଉ ୨ ସପ୍ତାହ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ଡିସଚାର୍ଜ ହେବା ପରେ ଘରେ ତାଙ୍କର ଫିଜିଓଥେରାପୀ ଜାରି ରହିବ ।

ମିଳିଥିବା ସୂଚନା ଅନୁଯାୟୀ, ପନ୍ତଙ୍କ ଦୁଇଟି ଲିଗାମେଣ୍ଟ ସର୍ଜରୀ ଶେଷ ହୋଇଛି । ତୃତୀୟ ଲିଗାମେଣ୍ଟ ସର୍ଜରୀ ଆଉ କିଛି ସପ୍ତାହ ପରେ କରାଯିବ । ସେ ପର୍ଯ୍ୟନ୍ତ ଋଷଭଙ୍କ ଫିଜିଓଥେରାପି ଜାରି ରହିବ । ଏବେ ପନ୍ତଙ୍କ ଲିଗାମେଣ୍ଟ ସୁସ୍ଥହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ଚିକିତ୍ସକ । ଆଗାମୀ ଦୁଇ ମାସ ମଧ୍ୟରେ ସେ ସୁସ୍ଥ ହେବେ । କିନ୍ତୁ ତାଙ୍କର ଏମ୍‌ସିଏଲ୍‌ ସର୍ଜରୀ ନିହାତି ଆବଶ୍ୟକ ଥିବା ଡାକ୍ତର କହୁଛନ୍ତି । ତେଣୁ ସୁସ୍ଥ ହେବା ପ୍ରକ୍ରିୟା ଆଦୌ ସହଜ ହେବନି ଆଉ ତାହା ପନ୍ତ ଭଲ ଭାବେ ଜାଣିଛନ୍ତି ମଧ୍ୟ ।

ଲିଗାମେଣ୍ଟ ଆଘାତ ସମସ୍ୟା ପ୍ରାୟତଃ ୪ ରୁ ୬ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯାଏ । ଏହା ପରେ ପୁନର୍ବାସ ଏବଂ ଫିଟନେସ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ତେଣୁ୨ ମାସ ପରେ ଯାଇ କହିହେବ ଯେ ପନ୍ତ ପ୍ରକୃତରେ କେବେ ଫିଟ୍‌ ହେବେ ଏବଂ କ୍ରିକେଟ୍‌ ଖେଳିବେ । କାରଣ ସମ୍ପୂର୍ଣ୍ଣ ଫିଟ୍‌ ହେବାପରେ ତାଙ୍କୁ ଏନସିଏରେ କାଉନସେଲିଂ କରାଯିବ । ଏ ସବୁ ପାଇଁ ୪ରୁ ୬ ମାସ ସମୟ ଲାଗିପାରେ ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ନିଜ ଘର ରୋର୍‌କୀ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ଋଷଭ ପନ୍ତ । ତାଙ୍କ ଶରୀରର ଏକାଧିକ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସମୟ ପୂର୍ବରୁ ହସ୍ପିଟାଲରେ ପହଞ୍ଚିଥିବାରୁ ବଡ ଧରଣର ବିପଦରୁ ରକ୍ଷା ପାଇଥିଲେ ପନ୍ତ । ତାଙ୍କୁ ତୁରନ୍ତ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

Related Posts