ଆଜି ପବିତ୍ର ଦୋଳପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ

ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଏନେଇ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସୁନାବେଶ । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁ ଭକ୍ତ ଙ୍କୁ ଦର୍ଶନ ଦେବେ ।

ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ ଟାରେ ଦ୍ୱାର ଫିଟା, ୪ ଟାରେ ମଙ୍ଗଳ ଆଳତୀ ପରେ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢ଼ା ସାତଥର ପ୍ରଦିକ୍ଷଣ କରିବେ।

ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ କରି ଦୋଳବେଦୀ ତଳେ ଓ ଉପରେ ସାତଘେରା ଲେଖାଏଁ ପ୍ରଦକ୍ଷଣ କରିବା ପରେ ଦୋଳରେ ବସି ଝୁଲିବେ। ଏହାପରେ ମହାପ୍ରଭୁଙ୍କର ଅନ୍ୟନ୍ୟ ନୀତି, କାନ୍ତି ଦୋଳବେଦୀରେ ଅନୁଷ୍ଠିତ ହେବ ।

Related Posts