ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ; ସମ୍ମାନ ରକ୍ଷା ପାଇଁ ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ।ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଏହି ୩ ଖେଳାଳି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ପଡ଼ିଛନ୍ତି।

ଆଜିର ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରୁଥିବାବେଳେ ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ବାଂଲାଦେଶ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

Related Posts