ଆଜି ପବିତ୍ର ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ଆଜି ପବିତ୍ର ମାଘ ସପ୍ତମୀ ତିଥି । ଏହି ଅବସରରେ ଭୋର ୪ଟାରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ। ଦୁଇ ବର୍ଷ ପରେ ଆଡମ୍ବରରେ ପାଳିତ ହୋଇଛି ମାଘ ସପ୍ତମୀ ବୁଡ଼। ପ୍ରଥମେ ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଇଶାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ଶୋଭାଯାତ୍ରାରେ ଅଣାଯାଇଥିଲା। ତିନିଠାକୁର ପାରମ୍ପରିକ ବାଦ୍ୟ ଯନ୍ତ୍ର ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ଥିଲେ। ପରେ ତିନି ଠାକୁରଙ୍କ ସ୍ନାନ ସରିବା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇବାର ସୁଯୋଗ ପାଇଥିଲେ।

ଶୁକ୍ରବାର ରାତି ୮ଟା ପରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିଥିଲେ । ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ କୋଣାର୍କ ଏନ୍‌ଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା । ପୂଜା ସମାପନ ପରେ ରାତି ୩ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ଠାକୁର ପହଞ୍ଚିଥିଲେ । ସେଠାରେ ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜା ହୋମ କର୍ମ ସମ୍ପାଦନ ସରିଥିଲା। ସପ୍ତମୀ ତିଥିରେ ମାହେନ୍ଦ୍ର ବେଳା ଭୋର୍‌ ୩ଟା ୫୦ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରାଯାଇଥିଲା । ରାତି ୪ଟା ୪୧ରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ ସାରି ସୂର୍ଯ୍ୟ ଦର୍ଶନ କରିଛନ୍ତି । ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନଡିଆରଏଫ୍, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

Related Posts