ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଆଦିବାସୀମାନଙ୍କର ପ୍ରସିଦ୍ଧ ଶୁଲିଆ ଯାତ୍ରା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ଆୟୋଜନ କରାଯାଇଛି। ଏହି ଯାତ୍ରାମାନେ ଆଦିବାସୀ ସଂପ୍ରଦାୟର ଲୋକେ ଉତ୍ସାହିତ ଅଛନ୍ତି। ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ (ବଡ଼ଖଳା ଓ ସାନଖଳା)ରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି।
ତେବେ ମଧ୍ୟରାତ୍ରିରୁ ନିଶି ପୂଜା ସରିଥିବା ବେଳେ ଆଉ କିଛି ସମୟ ପରେ ବଡ଼ଖଳାଠାରେ ଆରମ୍ଭ ହେବ ପୂଜା। ଶୁଲିଆ ମୁଖ୍ୟ ପୂଜକ ସୋମନାଥ ଦେହୁରୀ ପୂଜା କରିବେ। ପରେ ବଳି ପଡ଼ିବ । ଦିନ ତମାମ ଏହି ବଳିଯାତ୍ରା ଚାଲିବ। ଶୁଲିଆ ଯାତ୍ରାରେ ମାନସିକ ଧାରୀମାନେ ଛେଳି, କୁକୁଡ଼ା, ପାରା , ମେଣ୍ଢା ଓ ମଇଁଷି ଆଦି ବଳି ଦେଇଥାନ୍ତି। ସମଗ୍ର ପଶ୍ଚିମ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଏହି ଯାତ୍ରା ଦେଖିବାକୁ ଆସିଥାନ୍ତି। ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବିଗତ ବର୍ଷରେ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ କିଛି ସଂଗଠନ ଏହାକୁ ବିରୋଧ କରିଥିଲେ। ଜିଲ୍ଲା ପ୍ରଶାସନ ବି ବଳି ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲା। କିଛି ବର୍ଷ ଆଦିବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏଥର ବଳି ବନ୍ଦ ପାଇଁ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏପରିକି ଅନ୍ୟବର୍ଷ ଭଳି ପ୍ରଶାସନ ତରଫରୁ ସଚେତନତା ବି ସେତେଟା କରାଯାଇନାହିଁ। କେବଳ ପ୍ରଶାସନ ଏକ ମିଳିତ ବୈଠକ କରି ଚୁପଚାପ ବସିଛି। ପ୍ରଶାସନର କୌଣସି କଟକଣା ନଥିବାରୁ ଏଥର ଅନ୍ୟବର୍ଷ ଅପେକ୍ଷା ଅଧିକ ବଳି ପଡ଼ିବାର ସମ୍ଭାବନା ଅଛି।
