ଭୁବନେଶ୍ୱର: ରାଜରାସ୍ତାକୁ ଓହ୍ଲାଉଛନ୍ତି ଛାତ୍ର କଂଗେସ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛନ୍ତି ।
ବିଭିନ୍ନ ପ୍ରସଙ୍ଗକୁ ନେଇ ଛାତ୍ର କଂଗେସ ବିକ୍ଷୋଭ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିଥିଲେ। ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣା ଓ ଜାଲ ସାର୍ଟିଫିକେଟ୍ ଆଡମିଶନ୍ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିଲେ। ତା’ସହିତ ସେମାନେ ଜୋର ଜବରଦସ୍ତି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଥିଲେ।
ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ୍ ପଡ଼ିବେ। ଏହା ସହିତ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ସେହି କୋର୍ସଗୁଡ଼ିକ ପାଇଁ ଅଧିକ ଫି’ ପାଇ ଲାଭବାନ ହେବେ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରଜତ ଚୌଧୁରୀ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ନୈତିକତା ଦୃଷ୍ଟିରୁ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ମନ୍ତ୍ରୀ ହେବା ଦିନଠୁ ସେ କିଛି ନା କିଛି କେଳେଙ୍କାରୀ କରି ଚାଲିଛନ୍ତି। ସବୁ କଲେଜରେ ଜାଲ୍ ସାର୍ଟିଫିକେଟ୍ରେ ଆଡ୍ମିଶନ ହେଉଛି। ଏଥିପାଇଁ ମେଧାବୀ ଛାତ୍ରଛାତ୍ରୀମାନେ କଲେଜରେ ଆଡ୍ମିଶନ୍ ନେଇ ପାରୁ ନାହାନ୍ତି। ଯେଉଁମାନେ କମ୍ ମାର୍କ ରଖିଛନ୍ତି, ସେମାନେ ଜାଲ୍ ସାର୍ଟିଫିକେଟ୍ ଦେଇ ଆଡ୍ମିଶନ କରୁଛନ୍ତି।
ସେ କହିଛନ୍ତି, ଗରିବ ପିଲାମାନେ ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନ୍ସ କୋର୍ସ କରୁଥିଲେ। ହେଲେ ଅରୁଣ ସାହୁ ଓ ତାଙ୍କ ସଚିବଙ୍କ ମଧୁଚନ୍ଦ୍ରିକାରେ ଏହାକୁ ବନ୍ଦ କରି ଦିଆଯାଇଛି। ଯଦି ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।