ଉତ୍ତରପ୍ରଦେଶ କାସଗଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ ଅଟୋ ମୁହାଁମୁହିଁ ଧକ୍କାରେ ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାସଗଞ୍ଜରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଛି ଅଟୋ । ଫଳରେ ଏହି ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସମସ୍ତ ଶ୍ରଦ୍ଧାଳୁମାନେ ଫରୁଖାବାଦରୁ କାସଗଞ୍ଜର ପଟିୟାଲିରେ ଥିବା ଭୋଳା ବାବାଙ୍କ ଆଶ୍ରମକୁ ଯାଉଥିଲେ । ଏହି ସମୟରେ ଅଶୋକପୁର ସ୍ଥିତ ବନ୍ଦାୟୁ-ମୈନପୁରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ସହ ଅଟୋଟି ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଏନେଇ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଗୁରୁତରଙ୍କ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ।

ଏହି ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ମୃତକ ଅଟୋ ଯାତ୍ରୀ ଅଟନ୍ତି | ଅଟୋରେ ୧୫ ରୁ ୧୭ ଜଣ ଯାତ୍ରୀ ଥିବାର କୁହାଯାଉଛି ।

Related Posts