କଂଗ୍ରେସର ହାତ ଛାଡ଼ିଲେ ତିନିଥରର ବିଧାୟକ ଅଶ୍ୱିନୀ କୋତୱାଲ୍

ଗାନ୍ଧୀନଗର: କଂଗ୍ରେସ୍ କୁ ପୁଣି ଆଉ ଏକ ଝଟକା । ଦଳ ଛାଡ଼ିଲେ କଂଗ୍ରେସ୍ର ଜଣେ ଟାଣୁଆ ନେତା । ଗୁଜରାଟରେ କଂଗ୍ରେସରେ ଅନ୍ତଃ କନ୍ଦଳ ଲାଗି ରହିଥିବା ବେଳେ, ପୂର୍ବରୁ ହାର୍ଦ୍ଦିକ ପଟେଲ ଓ କଂଗ୍ରେସ ବରିଷ୍ଠ ନେତା ନରେଶ ପଟେଲ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେମାନେ କଂଗ୍ରେସ ଛାଡ଼ିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଏପଟେ ଆଉ ଜଣେ କଂଗ୍ରେସ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି।

ସେ ହେଲେ ତିନିଥରର ବିଧାୟକ ଅଶ୍ୱିନୀ କୋତୱାଲ୍। ଅଶ୍ୱନି ଟାଣୁଆ ଆଦିବାସୀ ନେତା ଭାବେ କଂଗ୍ରେସର ଗଡ଼ ଜଗିଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରିଛି ବୋଲି ସେ ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତେବେ କଂଗ୍ରେସରୁ ଇସ୍ତଫା ଦେବା ପରେ ଅଶ୍ୱିନୀ ବିଜେପିରେ ଯୋଗ ଦେବା ନେଇ ସ୍ଥିର ହୋଇଛି। ସେ ମଙ୍ଗଳବାର ତାଙ୍କ ସମର୍ଥକଙ୍କ ସହ ବିଜେପିରେ ମିଶିବେ ବୋଲି ସ୍ଥିର ହୋଇଛି।

ଅଶ୍ୱିନୀ ଉତ୍ତର ଗୁଜରାଟର ଖେଦବ୍ରହ୍ମ ବିଧାନସଭାରୁ ୩ ଥର ବିଧାୟକ ହୋଇଛନ୍ତି। ହେଲେ ଦଳ ତାଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ବାଚସ୍ପତି ନିମାବେନ ଆଚର୍ଯ୍ୟଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଅଶ୍ୱନି ଗୁଜୁରାଟ ବିଧାନସଭାରେ ବିରୋଧ ଦଳର ନେତା ହେବା ପାଇଁ ଦାବିଦାର ଥିଲେ। ହେଲେ କଂଗ୍ରେସ ହାଇକମାଣ୍ଡ ଅନ୍ୟ ଜଣେ ଆଦିବାସୀ ନେତା ସୁଖରାମ ରଥୱାଙ୍କୁ ଏହି ପଦରେ ନିଯୁକ୍ତି ଦେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଅଶ୍ୱନୀ ଦଳ ଛାଡ଼ିଛନ୍ତି।

ଏପଟେ ଅଶ୍ୱନୀଙ୍କ ବିଜେପିରେ ଯୋଗ ଦେବା ରାଜ୍ୟରେ ଦଳକୁ ଆହୁରି ବଳ ଦେବ। ରାଜ୍ୟରେ ଗୁଜୁରାଟର ଆଦିବାସୀ ଟାଣୁଆ ଚେହେରା ନଥିବାରୁ ଦଳରେ ସବୁବେଳେ ଶୂନ୍ୟସ୍ଥାନ ରହିଥିଲା।

Related Posts