ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ସହ କ୍ରୁଜର ଧକ୍କା ହେବା ଫଳରେ ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ

ଚଣ୍ଡୀଗଡ: ହରିୟାଣା ରେୱାଡି ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି | ଏକା ସାଙ୍ଗରେ ଲିଭିଯାଇଛି 5 ଜଣଙ୍କ ଜୀବନ | ଟ୍ରକକୁ କ୍ରୁଜର ପିଟିବା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 5 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି | ଏଥିସହ ଆଉ 10ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି ।

ଆଜି(ମଙ୍ଗଳବାର) ସକାଳ 5ଟା ସମୟରେ ରେୱାଡି ଜିଲ୍ଲାର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି(ସୋମବାର) ରାଜସ୍ଥାନ ଜୟପୁରର ଏକ ପରିବାର ଅସ୍ଥି ବିସର୍ଜନ ପାଇଁ ଗୋଟିଏ କ୍ରୁଜର ଯୋଗେ ହରିଦ୍ବାର ଯାଇଥିଲେ । କ୍ରୁଜରରେ ସମ୍ପୃକ୍ତ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ମିଶାଇ ମୋଟ 17 ଜଣ ଥିଲେ । ଅସ୍ଥି ବିସର୍ଜନ କରି ଫେରୁଥିବା ସମୟରେ ଆଜି ସକାଳେ ଦିଲ୍ଲୀ-ଜୟପୁର ରାଜପଥରେ ଗାଡିଟି ରାସ୍ତାକଡରେ ଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ 5 ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ 2 ଜଣ ମହିଳା ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

Related Posts