
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ମହଙ୍ଗା ହେବ ଟ୍ରେନ ଯାତ୍ରା । ଟ୍ରେନରେ ଯାତ୍ରା କରିବାକୁ ଏଣିକି ଅଧିକ ଟଙ୍କା ଗଣିବାକୁ ପଡିବ । କାରଣ ଦୀର୍ଘ ବର୍ଷ ପରେ ଭାରତୀୟ ରେଲୱେ ଚଳିତ ବର୍ଷ ଜୁଲାଇ ୧ରୁ ଟ୍ରେନ ଭଡ଼ାରେ ସଂଶୋଧନ କରୁଛି । ତେବେ ଲୋକାଲ୍ ଟ୍ରେନ ଭଡ଼ା ଅପରିବର୍ତ୍ତିତ ରହିଛି । କେବଳ ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ କ୍ଲାସ୍ ଓ ଦୂରତା ଆଧାରରେ ଭଡ଼ା ବୃଦ୍ଧି କରାଯିବ ।
ଯଦିଓ ଟ୍ରେନ ଯାତ୍ରା ମହଙ୍ଗା ହେବାକୁ ଯାଉଛି, କିନ୍ତୁ ଏହା କେବଳ କିଛି ଯାତ୍ରୀଙ୍କ ପାଇଁ । ସଂଶୋଧିତ ଭଡ଼ା ଜୁଲାଇ ପହିଲାରୁ ଲାଗୁ କରାଯିବ । ଲୋକାଲ୍ ଟ୍ରେନ ଏବଂ ମାସିକ ସିଜନ ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପାଇଁ ଭଡ଼ା ଅପରିବର୍ତ୍ତିତ ରହିବ । ଅନ୍ୟ ଯାତ୍ରୀଙ୍କ ଭଡ଼ାରେ ସାମାନ୍ୟ ବୃଦ୍ଧି କରାଯିବ ।
ନନ୍-ଏସି ମେଲ୍ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ କିଲୋମିଟର ପିଛା ୧ ପଇସା ବୃଦ୍ଧି ହେବ । ଅର୍ଥାତ୍ ୧୦୦୦ କିଲୋମିଟର ଯାତ୍ରା ପାଇଁ ଆପଣଙ୍କୁ ଅଧିକ ୧୦ ଟଙ୍କା ଦେବାକୁ ପଡିବ ।
ସେହିପରି ସବୁ ଏସି ପାସେଞ୍ଜର ବା ଏସି କ୍ଲାସ୍ରେ (ଟାୟାର-୩, ଟାୟାର-୨ ଓ ଫ୍ଲାଷ୍ଟ କ୍ଲାସ୍ ଏସି) ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇବ । ଏହାର ଅର୍ଥ ୧୦୦୦ କିଲୋମିଟର ଯାତ୍ରା ପାଇଁ ଆପଣ ୨୦ ଟଙ୍କା ଅଧିକ ଭଡ଼ା ଦେବେ ।
ହେଲେ ଆପଣ ଯଦି ସାଧାରଣ ସେକେଣ୍ଡ କ୍ଲାସ୍ (Ordinary Second Class)ରେ ୫୦୦ କିଲୋମିଟର ଯାଏଁ ଯାତ୍ରା କରୁଛନ୍ତି ତାହେଲେ ଭଡ଼ା ବଢିବ ନାହିଁ । କିନ୍ତୁ ୫୦୦ରୁ ଅଧିକ କିଲୋମିଟର ଯାତ୍ରା ପାଇଁ ଅଧା ପଇସା (୦.୫) ଅତିରିକ୍ତ ଦେବାକୁ ହେବ । ଅର୍ଥାତ୍ ୧୦୦୦ କିଲୋମିଟର ଯାତ୍ରା ପାଇଁ ଆପଣ ୨ଟଙ୍କା ୫୦ ପଇସା ଅଧିକ ଦେବେ ।
ଯଦିଓ ଏହା ସାମାନ୍ୟ ବୃଦ୍ଧି, କିନ୍ତୁ ନିୟମିତ ଟ୍ରେନ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପକେଟ୍ ଉପରେ ବୋଝ ପକାଇବ । ବର୍ଦ୍ଧିତ ଖର୍ଚ୍ଚ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଲୱେ ଏହି ନିଷ୍ପତ୍ତି ନେଇଛି ।