ଗାଜିଆବାଦ ଆକ୍ରମଣ ମାମଲା : ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଲୋନୀ ଠାରେ ଜଣେ ମୁସଲମାନ ବୃଦ୍ଧଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ଏହି ଘଟଣାରେ  ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ନିକଟରେ ଅଭିଯୋଗ କରାଯାଇଛି। ତେବେ ଓକିଲଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏପର୍ଯ୍ୟନ୍ତ ଏଫ୍ଆଇଆର୍ ଦାଖଲ କରି ନାହିଁ। ଏହା ପୂର୍ବରୁ ଗାଜିଆବାଦ ପୋଲିସରେ ଟ୍ୱିଟର ଇଣ୍ଡିଆ, କିଛି ସାମ୍ବାଦିକ ଏବଂ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିବାକୁ ପହଞ୍ଚିଥିବା ଅଭିଯୋଗକାରୀ ଦାବି କରିଛନ୍ତି ଯେ ସ୍ୱରା ଭାସ୍କର, ସାମ୍ବାଦିକ ଅରଫା ଖାନୁମ ଏବଂ ଆସିଫ ଖାନ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘଟଣାର ଭିଡିଓର ସତ୍ୟତା ନ ଜାଣି ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଓ ସମାଜର ଶାନ୍ତି ଭଙ୍ଗ କରିବାକୁ ଏହାକୁ ଶେୟାର କରିଥିଲେ। ଭାରତରେ ଟ୍ୱିଟରର ମୁଖ୍ୟ ମନୀଷ ମହେଶ୍ୱରୀ ଏହି ଘଟଣାର କୌଣସି ସାମ୍ପ୍ରଦାୟିକ ଦୃଷ୍ଟି କୋଣ ନଥିବା ଜାଣି ମଧ୍ୟ ଏହି ମିଥ୍ୟା ଟ୍ୱିଟ୍ ହଟାଇବା ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଉତ୍ତରପ୍ରଦେଶ ପୋଲିସ ନିକଟରେ ଦାଖଲ ହୋଇଥିବା ମାମଲାରେ ଟ୍ୱିଟରରେ ଏହି ଘଟଣା ସହ ଜଡିତ “ବିଭ୍ରାନ୍ତିକର” ପୋଷ୍ଟ୍ ହଟାଇ ନଥିବା ଅଭିଯୋଗ ହୋଇଛି।  ଆକ୍ରମଣର ଶିକାର ହୋଇଥିବା ମୁସଲିମ୍ ବୃଦ୍ଧ ବ୍ୟକ୍ତି ଅବଦୁଲ ସମାଦ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରାଯାଇଥିଲା ଏବଂ ସେ ନକହିବାରୁ ତାଙ୍କର ଦାଢି କାଟିଦେବା ସହ ମାଡ ମାରିଥିବା ଅଭିଯୋଗ କରି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ତେବେ ୟୁପି ପୋଲିସ କହିଛି ଯେ ଏହି ଘଟଣାରେ ସାମ୍ପ୍ରଦାୟିକ କିଛି ନାହିଁ। ଅବଦୁଲ ତାବିଜ ତିଆରି କରନ୍ତି । ତାବିଜକୁ ନେଇ ବିବାଦ ବଢିବାରୁ ବୃଦ୍ଧଙ୍କୁ ଆକ୍ରମଣ ୬ ଜଣ ଲୋକ ଆକ୍ରମଣ କରିଥିଲେ । ସୂଚନାଯୋଗ୍ୟ ଯେ ନୂତନ ଆଇଟି ନିୟମ ପାଳନ ନକରିବାରୁ ଟ୍ୱିଟର ଭାରତରେ ଏହାର ଆଇନଗତ ସୁରକ୍ଷା ହରାଇଛି।

Related Posts