
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଭିଜିଲାନ୍ସ ଚଢ଼ାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ ସେ ଏହି ସମ୍ପତ୍ତିର ହିସାବ ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗତକାଲି ପୋଲିସ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍ପିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଏହି ରେଡ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ କରାଯାଇଥିଲା । କଟକ, ଭୁବନେଶ୍ୱର, ଯାଜପୁର ଓ କୋରାପୁଟର ମୋଟ୍ ୧୫ଟି ଜାଗାରେ ରେଡ୍ ହୋଇଥିଲା ।
ଭୁବନେଶ୍ୱର ରସୁଲଗଡ ସ୍ଥିତ ମନୋରମା ଇଷ୍ଟେଟ୍ ଫ୍ଲାଟ ନଂ-୨/୨୫, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ବଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାର ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଚଣ୍ଡିଖୋଲ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ନାଁରେ ମେଡିସିନ୍ କମ୍ପାନୀ, କଟକ ତୁଳସୀପୁରସ୍ଥିତ ଅଫିସ, କଟକ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଥିଲା ।