ଲୋକସଭାରେ ପାସ୍‌ ହେଲା ତିନି ତଲାକ୍‌ ବିଲ୍‌

ବହୁ ବାଦ ବିବାଦ, ତର୍କ ବିତର୍କ, ଦୀର୍ଘ ସମୟର ଆଲୋଚନା ପରେ ଲୋକସଭାରେ ଗୁରୁବାର ପାସ୍‌ ହୋଇଛି ତିନି ତଲାକ୍‌ ବିଲ୍‌ ।
ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ବିରୋଧ ମଧ୍ୟରେ କେନ୍ଦ୍ର ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ରିପଲ ତଲାକ୍ ବିଲ୍‌କୁ ଲୋକସଭାରେ ଆଲୋଚନା ପାଇଁ ଆଗତ କରିଥିଲେ ।

ବିଲ୍ ରେ କୌଣସି ଧର୍ମ ପ୍ରତି ଭେଦଭାବ କରାଯାଇନାହିଁ । ଶୋଷଣର ଶିକାର ହେଉଥିବା ମହିଳାଙ୍କ ସୁରକ୍ଷା ଓ ଅଧିକାର ଲାଗି ଏହି ବିଲ୍ ଉଦ୍ଦିଷ୍ଟ ବୋଲି ଆଲୋଚନା ଆରମ୍ଭ କରି କହିଥିଲେ ରବିଶଙ୍କର । ତେବେ କଂଗ୍ରେସ ସମେତ କିଛି ବିରୋଧୀ ବିଲର ବର୍ତ୍ତମାନ ସ୍ବରୂପକୁ ବିରୋଧ କରିଛନ୍ତି । ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି କଂଗ୍ରେସ ।

ସେହିପରି ଆଲୋଚନାରେ ଭାଗ ନେଇ ବିଜେଡି କହିଲା, ବିଲରେ ସଂଶୋଧନର ଆବଶ୍ୟକତା ରହିଛି । ଏହାର ସାମ୍ବିଧାନିକ ଦିଗକୁ ନେଇ ଅନେକ ଦ୍ବନ୍ଦ୍ବ ରହିଛି । ତଲାକ ପରେ ମହିଳାଙ୍କ ଭରଣପୋଷଣକୁ ନେଇ ଅନେକ ଦ୍ବନ୍ଦାତ୍ମକ ନିୟମ ରହିଛି । ମୁସଲମାନ ମହିଳା ବିବାହ ଅଧିକାର ସଂରକ୍ଷଣ ବିଲ୍ ୨୦୧୮ ଗତ ଡିସେମ୍ବର ୧୭ ତାରିଖରେ ଲୋକସଭାରେ ଆଗତ କରାଯାଇଥିଲା ।

ଏହି ବିଲ୍ ଟ୍ରିପଲ ତଲାକ ସଂପର୍କିତ ଅଧ୍ୟାଦେଶ ସ୍ଥାନରେ ଅଣାଯାଇଥିଲା । ତ୍ବରିତ୍ ଟ୍ରିପଲ୍ ତଲାକ୍‌କୁ ବେଆଇନ୍ ଓ ଅମାନ୍ୟ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି । ଟ୍ରିପଲ୍ ତଲାକ ଦେଉଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ।

Related Posts