ପୁଣି ଫସିଲେ ମହାରଥୀ, ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ

ପୂର୍ବରୁ ମଧ୍ୟ ପିପିଲି ମାମଲାକୁ ନେଇ ମହାରଥୀ ବିବାଦୀୟ ବୟାନ ଦେଇଥିଲେ । ଏଥିପାଇଁ ତାଙ୍କର ମନ୍ତ୍ରୀପଦ ମଧ୍ୟ ଯାଇଥିଲା ।

ପିପିଲି ମାମଲାକୁ ନେଇ ପୁଣି ଥରେ ଫସିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ । ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ମହାରଥୀ, ପିପିଲି ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଲେ । ଆଉ ଚାପ ପରେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ।

ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ଆସିବା ପରେ ପୀଡ଼ିତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମହାରଥୀ । ଏହା ପରେ ତାଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜନୈତିକ ଝଡ଼ । ଗୁରୁବାର ମହାରଥୀଙ୍କୁ ଟାର୍ଗେଟ୍‌ କରିଥିଲେ କଂଗ୍ରେସ ଓ ବିଜେପି । ହାତରେ ଝାଡୁ, ଟମାଟୋ ଓ ଅଣ୍ଡା ଧରି କୃଷିମନ୍ତ୍ରୀଙ୍କ ଭୁବନେଶ୍ବର ସ୍ଥିତ ବାସଭବନକୁ ମାର୍ଚ୍ଚ କରିଥିଲା ମହିଳା କଂଗ୍ରେସ ।

ଘର ଉପରକୁ ପ୍ରବଳ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ପିପିଲି ଗଣଦୁଷ୍କର୍ମ ଘଟଣାରେ କୋର୍ଟଙ୍କ ରାୟ ଉପରେ କୃଷିମନ୍ତ୍ରୀଙ୍କ ମନ୍ତବ୍ୟ ନାରୀ ଜାତି ପ୍ରତି ଅପମାନ । ଏମିତି ମନ୍ତବ୍ୟ ଦେଉଥିବା ଲୋକର ମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ । ତେଣୁ ସେ ମନ୍ତ୍ରୀ ଛାଡିବା ଦରକାର ବୋଲି କହିଥିଲା କଂଗ୍ରେସ ।

ବିଜେପିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । ସେମାନେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ କରିବାର ସହ ମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ତାତ୍ସଲ୍ୟ କରିଥିବା ଅଭିଯୋଗ ଆଣିଛନ୍ତି । ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବାକୁ ଦାବି କରିଥିଲେ । ବିଜେପି ଆନ୍ଦୋଳନ ଧମକ ବି ଦେଇଥିଲା ।

ଦିନ ତମାମ୍‌ ମହାରଥୀଙ୍କୁ ନେଇ ଝଡ଼ ଲାଗି ରହିବା ପରେ ସଂଧ୍ୟାରେ ମନ୍ତ୍ରୀ ସାମ୍ନାକୁ ଆସିଥିଲେ । କହିଥିଲେ, ‘ମୁଁ ଉଦ୍ଦେଶ୍ୟ ମୂଳକ ଭାବେ କିଛି କହିନାହିଁ । କାହାକୁ ଖରାପ ଲାଗିଥିଲେ ଦୁଃଖ ପ୍ରକାଶ କରୁଛି । ’’

ତେବେ ମନ୍ତ୍ରୀଙ୍କ କଥାରୁ ଜଣାପଡୁଥିଲା ତାଙ୍କୁ ଏମିତି କହିବାକୁ ଉପରୁ ଚାପ ପଡ଼ିଛି । ଆଗକୁ ନିର୍ବାଚନ ଥିବାବେଳେ ନାରୀ ସୁରକ୍ଷା ଓ ପିପିଲି ଭଳି ସ୍ପର୍ଶକାତର ମାମଲାରେ ଦାୟିତ୍ବହୀନ ମନ୍ତବ୍ୟ ଦଳ ପାଇଁ ହାନିକାରକ ହୋଇପାରେ ବୋଲି ବୋଧହୁଏ ଦଳର ପରିଚାଳକ ହୃଦବୋଧ କରିଥିବେ, ଆଉ ମହାରଥୀଙ୍କୁ ମନ୍ତବ୍ୟ ଫେରାଇବାକୁ ବାଧ୍ୟ କରାଯାଇଥିବ ।

ପୂର୍ବରୁ ମଧ୍ୟ ପିପିଲି ମାମଲାକୁ ନେଇ ମହାରଥୀ ବିବାଦୀୟ ବୟାନ ଦେଇଥିଲେ । ଏଥିପାଇଁ ତାଙ୍କର ମନ୍ତ୍ରୀପଦ ମଧ୍ୟ ଯାଇଥିଲା ।

Related Posts