ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନା କହିଛନ୍ତି ଯେ “ରାଜନୈତିକ ବିରୋଧକୁ ଶତ୍ରୁତାରେ ପରିଣତ କରିବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ”।କମନୱେଲଥ ସଂସଦୀୟ ଆସୋସିଏଶନର ରାଜସ୍ଥାନ ଶାଖା ଅଧୀନରେ ‘୭୫ ବର୍ଷର ସଂସଦୀୟ ଗଣତନ୍ତ୍ର’ ଉପରେ ଏକ ସେମିନାରକୁ ଜଷ୍ଟିସ ରମନା ସମ୍ବୋଧିତ କରି ଏଭଳି କହିଛନ୍ତି।

ଜଷ୍ଟିସ ଏନ.ଭି ରମନା ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଏବଂ ବିରୋଧୀ ମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ମାନ ବର୍ତ୍ତମାନ ଦିନକୁ ଦିନ ହ୍ରାସ ପାଉଛି। ପୂର୍ବରୁ ସରକାର ଏବଂ ବିରୋଧୀ ଉଭୟଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହିଆସୁଥିଲା। ଦୁର୍ଭାଗ୍ୟବଶତଃ ବିରୋଧୀଙ୍କ ସଂଖ୍ୟା ହ୍ରାସ ପାଉଛି। ସମାନ୍ତରାଳ ଭାବେ ଗଣତନ୍ତ୍ରରେ ବିରୋଧୀଙ୍କ ପାଇଁ ସ୍ଥାନ ମଧ୍ୟ ହ୍ରାସ ପାଉଛି। ବର୍ତ୍ତମାନ ବିରୋଧୀଙ୍କ ସହ ବ୍ୟାପକ ବିଚାର ବିମର୍ଷ, ଆଲୋଚନା ଏବଂ ଯାଞ୍ଚ ବିନା ଆଇନ ପ୍ରଣୟନ କରାଯାଉଛି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଦୁଃଖର ବିଷୟ ଯେ, ବିଧାନସଭା ପ୍ରଦର୍ଶନରେ ଗୁଣାତ୍ମକ ମାନର ଅବନତି ଘଟୁଛି। ଏହା ଗଣତାନ୍ତ୍ରିକ ପଦ୍ଧତି ପାଇଁ ଉପଯୁକ୍ତ ନୁହେଁ ବୋଲି ଜଷ୍ଟିସ ରାମାନା ଏହି ସେମିନାର ରେ ଉଦବୋଧନ ଦେଇ କହିଛନ୍ତି।