୧୨ ବର୍ଷ ବିତିଲା ତଥାପି ମିଳିଲାନି ଭିନ୍ନକ୍ଷମ କମିସନରେ ଦିବ୍ୟାଙ୍ଗକୁ ଅଧ୍ୟକ୍ଷ ପଦ; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବିଭିନ୍ନ ସାମାଜିକ ସଙ୍ଗଠନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୨ ବର୍ଷ ବିତିଲା ତଥାପି ମିଳିଲାନି ଭିନ୍ନକ୍ଷମ କମିସନରେ ଦିବ୍ୟାଙ୍ଗକୁ ଅଧ୍ୟକ୍ଷ ପଦ । ବହୁ ଯୋଗ୍ୟ ଦିବ୍ୟାଙ୍ଗ ବ୍ୟକ୍ତି ଏହି ପଦବିର ଦାୟିତ୍ୱ ବହନ କରିବାକୁ ସମର୍ଥ ଥିବା ସତ୍ତ୍ୱେ ସରକାର ସବୁବେଳେ ଦଳୀୟ କର୍ମକର୍ତ୍ତାଙ୍କୁ ଏଥିପାଇଁ ମନୋନୀତ କରୁଛନ୍ତି । ତେଣୁ ବିଭିନ୍ନ ସମୟରେ ଦିବ୍ୟାଙ୍ଗମାନଙ୍କ ପ୍ରତି ଅନ୍ୟାୟ ହେଉଥିଲେ ମଧ୍ୟ କମିସନ କେବଳ ନିରବଦ୍ରଷ୍ଟା ସାଜୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ନିକଟରେ ପୌର ନିର୍ବାଚନ ପାଇଁ ବିଜେଡିରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ । ସେ ଏହି ପଦବିରୁ ଇସ୍ତଫା ଦେଇଛନ୍ତି । ତେଣୁ ଖାଲି ପଡ଼ିଥିବା ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ପଦରେ ଜଣେ ଯୋଗ୍ୟ ଦିବ୍ୟାଙ୍ଗକୁ ନିଯୁକ୍ତି ଦେବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ମିଳିତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ଭିନ୍ନକ୍ଷମମାନଙ୍କ ମାନବିକ ଅଧିକାରର ଉଲ୍ଲଂଘନ, ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ସମାଧା, ଅନୁଦାନର ସଠିକ ବିନିଯୋଗ କରିବା ଉଦ୍ଦେଶ୍ୟରେ ୨୦୧୦ ମସିହାରେ ରାଜ୍ୟରେ ଭିନ୍ନକ୍ଷମ କମିସନ ଗଠନ ହୋଇଥିଲା ।

ମାତ୍ର ପରିତାପର କଥା ସେହିଦିନରୁ ଏହି କମିସନର ଅଧ୍ୟକ୍ଷ ପଦରେ କୌଣସି ଦିବ୍ୟାଙ୍ଗଙ୍କୁ ବସିବାର ସୁଯୋଗ ମିଳିନାହିଁ । ସାମାଜିକ କର୍ମକର୍ତ୍ତା ଜିତେନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ କମିସନ କରାଯିବା ଉଚିତ । ୨୦୧୦ ମସିହାରେ କେନ୍ଦ୍ର ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଭାବରେ ଭିନ୍ନକ୍ଷମ ପ୍ରସନ୍ନ ଚିଞ୍ଚାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା । ଶିକ୍ଷାଗତ ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟ ଦୃଷ୍ଟିରୁ ଓଡ଼ିଶାରେ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଭାବ ନାହିଁ । କିନ୍ତୁ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଏହି ପଦରେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦିଆଯାଇନାହିଁ । କମିସନ ଅଧ୍ୟକ୍ଷ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣ କରୁଥିବା ଭିନ୍ନକ୍ଷମଙ୍କୁ ଏହି ପଦରେ ନିଯୁକ୍ତି ଦେବାକୁ ଦାବି କରି ଏବେ ବହୁ ସାମାଜିକ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts