ରୁଷର ବୋମା ମାଡ଼ରେ କିଭ ନିକଟସ୍ଥ ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ ମୃତଦେହ ଉଦ୍ଧାର

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ସେନା ୟୁକ୍ରେନ ରେ ନରସଂହାର ରଚିଛନ୍ତି | ଘନ ଘନ ମିସାଇଲ ଓ ବୋମା ମାଡ଼ରେ ଆଖି ବୁଜୁଛନ୍ତି ଅନେକ ୟୁକ୍ରେନ ନାଗରିକ | ଏନେଇ ୟୁକ୍ରେନ ପକ୍ଷରୁ ଏକ ବିଡ଼ିଓ ଜାରି କରାଯାଇ ବିଶ୍ୱ ଦରବାରରେ ଉପସ୍ଥାପନ କରାଯାଇଥିବା ବେଳେ, ଯାହାକୁ ଘୋର ନିନ୍ଦା କରିଛନ୍ତି ଅନେକ ଦେଶ | ସେପଟେ ରୁଷର ଏପରି ବର୍ବରତା ଯୋଗୁ ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ରୁଷକୁ ନିଲମ୍ବିତ କରାଯାଇଛି। ୟୁକ୍ରେନରେ ବର୍ତ୍ତମାନ ରୁଷ ମାନବାଧିକାର ଉଲ୍ଲଙ୍ଘନ କରୁଛି। ଏଥିଯୋଗୁ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବା ଜାତିସଂଘ କହିଛି।

ରୁଷ କରୁଥିବା ହମଲାର ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଗୁରୁବାର ୟୁକ୍ରେନ ସରକାର କିଭ ନିକଟସ୍ଥ ବୋରୋଡିଆଙ୍କା ସହରର ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଇଟି ଯାକ ଆପାର୍ଟମେଣ୍ଟ ରୁଷର ବୋମା ମାଡ଼ରେ ସଂପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

ସର୍ଚ୍ଚ ଅପରେସନ ବେଳେ ସ୍ଥାନୀୟ ଅଧିକାରୀମାନେ ଧ୍ୱଂସସ୍ତୂପ ତଳକୁ ମୃତଦେହଗୁଡ଼ିକୁ ଠାବ କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ରହିଛି। ସେହିପରି ମାରିୟୁପୋଲରେ ମଧ୍ୟ ରୁଷର ହମଲାରେ ୫୦୦୦ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି। ରୁଷ ଜାଣିଶୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏପରି ସଂହାର କରିଥିବା ୟୁକ୍ରେନ ଅଭିଯୋଗ କରିଛି।

ୟୁକ୍ରେନର ସରକାରୀ ଓକିଲ ଜେନେରାଲ ଇରୟନା ଭେନେଡିକଟୋଭା କହିଛନ୍ତି, ମାଟିରେ ମିଶି ଯାଇଥିବା ୨ଟି ଆପାର୍ଟମେଣ୍ଟ ବ୍ଲକରୁ ୨୬ଟି ମୃତଦେହ ଠାବ ହୋଇଛି। କେବଳ ସାଧାରଣ ଲୋକଙ୍କୁ ରୁଷ ଟାର୍ଗେଟ କରିଛି। କାରଣ ଯେଉଁଠାରେ ଆକ୍ରମଣ କରାଯାଇଛି ଏହାର ଆଖପାଖରେ କୌଣସି ପ୍ରକାରର ପ୍ରତିରକ୍ଷା ପ୍ରତିଷ୍ଠାନ ନାହିଁ।

ଉକ୍ତ ଅଞ୍ଚଳରେ ଆଉ ଯେ କେତେ ଲୋକଙ୍କ ଜୀବନ ଯାଉଛି, ତା’ର ଆକଳନ କରିବା ଅସମ୍ଭବ। କାରଣ ସବୁ କିଛି ରୁଷର ବୋମା ମାଡ଼ରେ ମାଟିରେ ମିଶି ଯାଇଛି। ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରି କ୍ଲଷ୍ଟର ବୋମା ଓ ଶକ୍ତିଶାଳୀ ମଲ୍ଟିପୁଲ ରେକଟ ଲଞ୍ଚର ମାଡ଼ କରିଛି। ଫଳରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି ଓ ପୂରା ଆବାସିକ ଅଞ୍ଚଳ ଧ୍ୱଂସ ପାଇଯାଇଛି।

Related Posts