ଚର୍ଚ୍ଚାରେ ନୋଏଡାରେ ଥିବା ଟ୍ବିନ ଟାଓ୍ବାର୍ସ: ୫୦୦ କୋଟି ଟଙ୍କାର କ୍ଷତି ସହିଛି କମ୍ପାନି ସୁପରଟେକର

ନୋଏଡା : ମାଟିରେ ମିଶିଛି ନୋଏଡାରେ ଥିବା ଟ୍ବିନ ଟାଓ୍ବାର୍ସ। ଯାହାକୁ ନେଇ ଏବେ ଚାରିଆଡେ଼ ଚର୍ଚ୍ଚା । ତେବେ ଏହି ଟାଓ୍ବାର ଦ୍ବୟ ଭଙ୍ଗାଯିବା ପରେ କଣ ରହିଛି ଏହାକୁ ନିର୍ମାଣ କରିଥିବା କମ୍ପାନି ସୁପରଟେକର ?

ସୁପରଟେକର ଅଧ୍ୟକ୍ଷ ଆର.କେ.ଆରୋରା କହିଛନ୍ତି ଯେ, ଏହି ଟାଓ୍ବାର ଦୁଇଟିକୁ ଭଙ୍ଗାଯିବା ଯୋଗୁଁ କମ୍ପାନି ୫୦୦ କୋଟି ଟଙ୍କାର କ୍ଷତି ସହିଛି । ଏହା ମଧ୍ୟରେ ରହିଛି ଏହି ଟାଓ୍ବାର ଦ୍ବୟ ପାଇଁ ଜମି ଅଧିଗ୍ରହଣ, ନିର୍ମାଣ, ବିଭିନ୍ନ ମଂଜୁରୀ ପାଇବାକୁ କରାଯାଇଥିବା ଖର୍ଚ୍ଚ, ବ୍ୟାଙ୍କମାନଙ୍କୁ ଦିଆଯାଇଥିବା ସୁଧ, ଗ୍ରାହକମାନଙ୍କୁ ଦିଆଯାଇଥିବା ୧୨ ପ୍ରତିଶତ ସୁଧ ଇତ୍ୟାଦି ।

ସେ କହିଛନ୍ତି ଯେ, ଏହି ଟାଓ୍ବାର ଦ୍ବୟକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୩୭୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର ହୋଇଥିଲା । ଏହି ଟାଓ୍ବାର ଭଙ୍ଗା କାମ ନେଇଥିବା ଏଡିଫିସ ଇଂଜିନିୟରିଂକୁ ସୁପରଟେକ ୧୭.୫ କୋଟି ଟଙ୍କା ପ୍ରଦାନ କରିଛି । ବିସ୍ଫୋରଣ କାମ ପାଇଁ ଏଡିଫିସ୍ ଦକ୍ଷିଣ ଆଫ୍ରିକାର ଜେଟ୍ ଡେମୋଲିସନକୁ ଦାୟିତ୍ବ ଦେଇଥିଲା । ପୁଣି ଏହି ଭଙ୍ଗା କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କାର ବୀମା କରାଯାଇଥିଲା । ଏଥିପାଇଁ ପ୍ରିମିୟମ ବାବଦ ଖର୍ଚ୍ଚ ସୁପରଟେକ ବହନ କରିଥିଲା ।

ସେ କହିଛନ୍ତି ଯେ ନୋଏଡା ବିକାଶ କର୍ତ୍ତୃପକ୍ଷଙ୍କ ମଂଜୁରୀ ପରେ ଏହି ଟାଓ୍ବାର ନିର୍ମାଣ କରାଯାଇଥିଲା । ଏହି ନିର୍ମାଣ କାମରେ କୌଣସି ଆଇନର ଉଲ୍ଲଙ୍ଘନ କରାଯାଇନାହିଁ ।

Related Posts