ଭୁବନେଶ୍ୱର, ୧୨/୧୨(ସତ୍ୟପାଠ ବ୍ୟୁରୋ): ଗୁଜରାଟ ରାଜନୀତିରେ ନୂଆ ଟୁଇଷ୍ଟି। ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଏବେ ଆପ୍‌ରେ ଫାଟ ସୃଷ୍ଟି ହୋଇଛି । ନିର୍ବାଚନର ଫଳାଫଳ ଆସିବାର ମାତ୍ର ଦୁଇ ଦିନ ପରେ ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା। ଗୁଜରାଟର ଆପ୍ ପକ୍ଷରୁ ନବନିର୍ବାଚିତ ବିଧାୟକ ଭୂପତ ଭାୟାଣୀ ଦଳରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ନିଜେ ବିଧାୟକ ଭୂପତ ଭାୟାଣୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ, ସେ ବିଜେପିରେ ମିଶିବେ ନାହିଁ, କିନ୍ତୁ ବିଜେପି ସରକାରକୁ ବାହାରୁ ସମର୍ଥନ ଦେବେ। ସେ କହିଛନ୍ତି ଯେ, ସେ ସରକାରକୁ ବାହାରୁ ସମର୍ଥନ ଦେବେ ଏବଂ ଯଦି ଜନସାଧାରଣ ଚାହିବେ ତା’ହେଲେ ସେ ବିଜେପିରେ ମଧ୍ୟ ସାମିଲ ହେବେ। ତ‌େବେ ଏଥିପାଇଁ ସେ ଜନମତ ସଂଗ୍ରହ କରିବେ ବୋଲି କହିଛନ୍ତି।

ତେବେ ଗୁଜରାଟ ଜୁନାଗଡ ଜିଲ୍ଲା ବିସାବାଦାର ବିଧାନସଭା କ୍ଷେତ୍ରରେ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ବିଧାୟକ ଭୂପତ ଭାୟାଣୀ। ସେ ଆପରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି । ସେହିପରି ରାଜ୍ୟର ନବନିର୍ବାଚିତ ୩ ଜଣ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ବିଧାୟକମାନଙ୍କ ଏଭଳି ନିଷ୍ପତ୍ତି ବିଜେପି ପାଇଁ ଖୁସି ଖବର ବୋଲି କୁହାଯାଉଛି । ୩ ଜଣ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଜେପି ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପ୍ରଥମଥର ପାଇଁ ଗୁଜରାଟରେ ନିର୍ବାଚନ ଲଢି ଆମ୍ ଆଦମୀ ପାର୍ଟି ୫ ଟି ବିଧାୟକ ଜିତାଇବାରେ ସକ୍ଷମ ହୋଇଥିଲା । ଆମ୍ ଆଦମୀ ପାର୍ଟିକୁ ଗୁଜରାଟରେ ୧୩ ପ୍ରତିଶତ ଭୋଟ ମିଳିଛି। ସେପଟେ ୫ ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ଜି ଦଳରୁ ଇସ୍ତଫା ଦେଲେ ଆପ୍ ପାଖରେ ମାତ୍ର ୪ ଜଣ ବିଧାୟକ ରହିବେ ।