ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କକୁ ନେଇ ବଡ଼ ବୟାନ ଦେଇଛନ୍ତି । ବହୁ ବାଦ ବିବାଦ ଏବଂ ଟଣାଓଟରା ପରେ ଶେଷରେ ଟ୍ଵିଟର କମ୍ପାନିକୁ ଏଲନ ମସ୍କ କିଣିବା ପରେ ଏହା ଉପରେ ଏବେ ଟିପ୍ପଣୀ କରିଛନ୍ତି ଟ୍ରମ୍ ।

ବର୍ତ୍ତମାନ ଟ୍ଵିଟର ସଠିକ୍ ଲୋକଙ୍କ ହାତକୁ ଯାଇଥିବା ଟ୍ରମ୍ପ କହିଛନ୍ତି। ଉଲ୍ଲେଖନୀୟ ଗତ ବର୍ଷ ୟୁଏସ କ୍ୟାପିଟାଲ୍ ରାଇଟ୍ସ ପରେ ଟ୍ରମ୍ପ ଅନେକ ଉତ୍ତେଜନାକାରୀ ଟୁଇଟ୍ କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ଵରୂପ କମ୍ପାନି ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ନିଷେଧ କରିଥିଲା।

ଟ୍ରମ୍ପ ଲେଖିଛନ୍ତି ମୁଁ ବହୁତ ଖୁସି ଯେ, ଟୁଇଟର ବର୍ତ୍ତମାନ ସଠିକ୍ ଲୋକଙ୍କ ହାତକୁ ଯାଇଛି। ଭଲ ହେଲା ଏବେ ଟୁଇଟର ଉପରେ ପାଗଳ ଏବଂ ହୀନ ବୁଦ୍ଧି ଲୋକଙ୍କ ଅଧିକାର ରହିବ ନାହିଁ। ମସ୍କ ଟୁଇଟରର ମାଲିକ ହେବା ପରେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଶୀଘ୍ର ଟୁଇଟର ପ୍ଲାଟଫର୍ମକୁ ଫେରି ପାରନ୍ତି। ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଚାଲୁ କରାଯିବ ବୋଲି ମସ୍କ ବି ସଙ୍କେତ ଦେଇଛନ୍ତି। ତେବେ ଏହାକୁ ନେଇ ଟ୍ରମ୍ପଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।