ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ବିଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୋଶାଲ ମିଡିଆ କମ୍ପାନୀ ଟ୍ୱିଟରକୁ ଭାରତରେ ଏକ ଶକ୍ତ ଝଟକା ଲାଗିଛି । ମେ ୨୫ ତାରିଖରୁ ଭାରତ ସରକାର ପ୍ରଣୟନ କରିଥିବା ନୂଆ ଆଇଟି ଆଇନକୁ ପାଳନ ନ କରିବା କାରଣରୁ ଟ୍ୱିଟର ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଛି। ଅର୍ଥାତ୍ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ଉତ୍ତେଜନାମୂଳକ ଏବଂ ବିଭ୍ରାନ୍ତିକର ବୟାନ ପୋଷ୍ଟ କରିନ୍ତି ତେବେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ପୁଲିସ୍‌ ଜେରା କରିପାରିବ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ଆଜି ଟ୍ବିଟର ବିରୋଧରେ ଏକ ମାମଲା ରୁଜୁ ହେବା ପରେ ଏହା ସ୍ପଷ୍ଟ ହୋଇଛି । ଟ୍ବିଟର ଭାରତରେ ଏହାର ଆଇନଗତ ସୁରକ୍ଷା ହରାଇଥିବାରୁ ଅବଦୁଲ ସମାଦ ମାମଲାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି । ୟୁପିର ଗାଜିଆବାଦ ସ୍ଥିତ ଲୋନି ଠାରେ ମୁସଲିମ୍ ବୃଦ୍ଧ ଅବଦୁଲ ସାମଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓ ନକଲି ଥିଲା ବୋଲି କୁହାଯାଉଛି। କିନ୍ତୁ ଟ୍ୱିଟର ଏହି ପୋଷ୍ଟ୍ କୁ ମ୍ୟାନୁପଲେଟ୍‌ ଟ୍ୟାଗ ଦେଇ ନଥିବାରୁ କମ୍ପାନୀ ବିରୋଧରେ ଏଫଆଇଆର କରାଯାଇଛି। ଗାଜିଆବାଦର ଲୋନି ପୁଲିସ ଧାର୍ମିକ ଭାବନାକୁ ଆଘାତ ପହଞ୍ଚଇବା ଘଟଣାରେ ଟ୍ୱିଟର ସମେତ ୯ ଜଣ ବିରୋଧରେ ମାମଲା ରୁଜୁ କରିଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ , ” କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ପାଳନ କରିବାକୁ ଭାରତ ସରକାର ବାରମ୍ବାର ଗାଇଡଲାଇନ ପାଳନ କରିବାକୁ ନୋଟିସ କରିଥିଲେ ହେଁ ନୂଆ ଆଇଟି ନିୟମକୁ ପାଳନ କରିବାକୁ ଟ୍ୱିଟର ଅବହେଳା କରିଥିଲା। ଏହି କାରଣ ପାଇଁ ଟ୍ୱିଟର ଭାରତରେ ପାଇଥିବା ଆଇନଗତ ସୁରକ୍ଷାକୁ ହରାଇଛି। ବର୍ତ୍ତମାନ ତୃତୀୟ ପକ୍ଷର ଯେକୌଣସି ବେଆଇନ କାର୍ଯ୍ୟ ପାଇଁ ଟ୍ୱିଟର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର କହିଛନ୍ତି ଯେ ଟ୍ୱିଟର ହେଉଛି ଏକମାତ୍ର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯିଏକି ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଆଇଟି ନିୟମ ମାନି ନାହିଁ। ଟ୍ବିଟର ଆଜି ପର୍ଯ୍ୟନ୍ତ ଭାରତରେ ଏହାର ମୁଖ୍ୟ ଡିଜିଟାଲ ଅଧିକାରୀଙ୍କୁ ନିଯୁକ୍ତ କରି ନାହିଁ। ଏପଟେ ମଙ୍ଗଳବାର ଦିନ ଟ୍ୱିଟର କହିଛି ଯେ ଏହା ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀ ନିଯୁକ୍ତ କରିଛି ଏବଂ ଖୁବ୍ ଶୀଘ୍ର ଆଇଟି ମନ୍ତ୍ରଣାଳୟ ସହିତ କମ୍ପାନୀ ଏହାର ସବିଶେଷ ତଥ୍ୟ ପ୍ରଦାନ କରିବ । ଟୁଇଟର ମୁଖପାତ୍ର କହିଛନ୍ତି ଯେ ନୂତନ ଆଇଟି ନିୟମ ପାଳନ କରିବା ପାଇଁ କମ୍ପାନୀ “ସମସ୍ତ ପ୍ରୟାସ ଜାରି ରଖିଛି” । ସୂଚନାଯୋଗ୍ୟ ଗତ ମାସରେ ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ଆଇଟି ମନ୍ତ୍ରଣାଳୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବିଜେପି ଓ ଆରଏସଏସର କିଛି ବଡ ବଡ ନେତାଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବା ପରେ କେନ୍ଦ୍ର ସରକାର ଆଇଟି ନିୟମ ମାନିବାକୁ ଚରମବାଣୀ ମଧ୍ୟ ଶୁଣାଇଥିଲେ । ସୂଚନାଯୋଗ୍ୟ ଟ୍ୱିଟରକୁ ଛାଡ଼ି ଦେଲେ ଭାରତରେ ସେବା ଯୋଗାଉଥିବା ଗୁଗଲ, ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଆଇନଗତ ସୁରକ୍ଷା ପାଇବେ।

Related Posts