ଏନକାଉଣ୍ଟର ଧମକକୁ ଦୁଇ ଦିନ ପୁରିନି : ମିଳିଲା ହାଇଦ୍ରାବାଦ୍ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ମୃତ ଦେହ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ହାଇଦ୍ରାବାଦର ସୈଦାବାଦରେ ‘୬ବର୍ଷୀୟ ବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା’ କଥା ପଚରାଯିବାରୁ ମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଥିଲେ ଯେ, ” ଅଭିଯୁକ୍ତଙ୍କୁ ‘ଏନ୍‌କାଉଣ୍ଟର୍‌’ କରି ହତ୍ୟା କରାଯିବ ।” ମନ୍ତ୍ରୀଙ୍କ ଏହି ବୟାନର ଦୁଇ ଦିନ ପରେ ହାଇଦ୍ରାବାଦର ଜଣେ ୬ ବର୍ଷୀୟ ବାଳିକାକୁ ‘ଦୁଷ୍କର୍ମ ଓ ହତ୍ୟା’ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଶବ ଆଜି ସକାଳେ ରେଳଧାରଣାରୁ ଉଦ୍ଧାର ହୋଇଛି। ଟୁଇଟର୍‌ରେ ଅଭିଯୁକ୍ତଙ୍କ ମୃତଦେହର ଫଟୋ ସେୟାର୍‌ କରି ତେଲେଙ୍ଗାନା ପୁଲିସ ମୁଖ୍ୟ ଏ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତ ଦୌଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିବାରୁ ଜୀବନ ଚାଲି ଯାଇଥିଲା। 

ଗତ ମଙ୍ଗଳବାର ଦିନ ଶ୍ରମମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଥିଲେ ଯେ ଅଭିଯୁକ୍ତକୁ ଏନକାଉଣ୍ଟର କରି ହତ୍ୟା କରାଯିବ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ସାମ୍ବାଦିକ ମାନଙ୍କ ସହ କଥା ହୋଇ କହିଥିଲେ, ୬ ବର୍ଷୀୟ ବାଳିକାକୁ ‘ତ୍ବରିତ ନ୍ୟାୟ’ ଦିଆଯିବ। ଅଭିଯୁକ୍ତକୁ ଆମେ ନିଶ୍ଚୟ ଧରିବୁ ଏବଂ ଏନ୍‌କାଉଣ୍ଟର୍‌ କରି ହତ୍ୟା କରିବୁ। ତାକୁ ଛାଡ଼ିବାର ପ୍ରଶ୍ନ ହିଁ ଉଠୁନାହିଁ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଚଳିତ ମାସ ୯ ତାରିଖ ଦିନ ଜଣେ ୬ବର୍ଷୀୟ ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଗୋଟିଏ ଘର ଭିତରେ ରଖି ତାଲା ପକାଇ ଦିଆଯାଇଥିଲା। ଏ ଘଟଣାର ଅଭିଯୁକ୍ତ ଥିଲା ପୀଡ଼ିତାର ପଡ଼ୋଶୀ ତଥା ୩୦ ବର୍ଷିୟ ଯୁବକ। ଅଭିଯୁକ୍ତକୁ ଖୋଜିବା ପାଇଁ ପ୍ରାୟ ୧୫ଟି ପୁଲିସ ଟିମ୍‌ ଗଠନ କରାଯାଇ ମହାରାଷ୍ଟ୍ର ଏବଂ ହାଇଦ୍ରାବାଦକୁ ପଠାଯାଇଥିଲା। ତେବେ ଫେରାର ଅଭିଯୁକ୍ତର ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ହାଇଦ୍ରାବାଦ ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା।

Related Posts