ଆଗକୁ ଆସୁଛି ଆଉ ଦୁଇଟି ଲଘୁଚାପ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗୋଟିଏ ଲଘୁଚାପ ବର୍ଷା ସାରା ରାଜ୍ୟକୁ ପ୍ରଭାବିତ କରିଥିବା ବେଳେ ଆଗକୁ ଆସିବାକୁ ଯାଉଛି ଆହୁରି ଦୁଇଟି ଲଘୁଚାପ। ଏବେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି। ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ବାଲେଶ୍ବର ନିକଟରେ ରହିବ ବୋଲି ଅନୁମାନ କରାଯାଉଛି । ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆକଳନ ଅନୁଯାୟୀ ୨୩ ତାରିଖରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଏହାର  ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଜଣାପଡିଛି । ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳୟରେ ହିଁ ରହିବ। ତା’ପରେ କେଉଁ ରୂପ ଧାରଣ କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ତେଣୁ ରାଜ୍ୟରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ଏହି ସମୟ ମଧ୍ୟରେ ସମୁଦାୟ ବର୍ଷାର ପରିମାଣ ୫୦ରୁ ୭୦ ମିମି ରହିପାରେ। କିଛି କିଛି ସ୍ଥାନରେ ୯୦ ମିମି ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳରେ, ୨୨ରୁ ୨୪ ତାରିଖ ଯାଏ ଦକ୍ଷିଣ ଅଭ୍ୟନ୍ତରୀଣରେ ଓ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତେବେ ମୌସୁମୀ ସକ୍ରିୟ ଥିବା କାରଣରୁ ହାଲୁକା ବର୍ଷା ହୋଇପାରେ।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ,  ଅବପାତ ଦୁର୍ବଳ ହେବା ସହ ଲଘୁଚାପରେ ପରିଣତ ହୋଇ ମଧ୍ୟପ୍ରଦେଶ ଉପରେ ରହିଛି। ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଲଘୁଚାପ ଜନିତ ଲଗାଣ ବର୍ଷା ସ‌ତ୍ତ୍ବେ ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ସେପ୍ଟେମ୍ବରରେ ମୋଟ ୨୭୧.୪ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୧୩୨.୯ ମିମିଠାରୁ ଅଧିକ।

Related Posts