
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଝିଅଙ୍କ ବିରୁଦ୍ଧରେ ହିଂସା ସ୍ଥିତି ଉଦବେଗଜନକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ‘ଭାରତରେ ଅପରାଧ-୨୦୨୦’ ରିପୋର୍ଟ ଅନୁସାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପାଉଛି। କେବଳ ଗତବର୍ଷ ୧୩୪୧୨ଜଣ ଝିଅ ଓ ମହିଳା ନିଖୋଜ ଥିବା ନେଇ ରିପୋର୍ଟରେ କୁହାଯାଇଛି। ଆଉ ଏବେବି ୨୫୭୩୮ଜଣ ଝିଅ ଓ ମହିଳାଙ୍କ ସମେତ ମୋଟ ୪୦୩୩୯ଜଣ ଲୋକ ନିଖୋଜ ଅଛନ୍ତି। କେବଳ ସେତିକି ନୁହେଁ ଓଡ଼ିଶାର ସର୍ବାଧିକ ଲୋକଙ୍କୁ ଦାଦନ ଖଟାଇବା ପାଇଁ ମାନବ ଚୋରାଚାଲାଣ କରାଯାଇଥିବା ଜଣାପଡ଼ିଛି। ୨୦୨୦ ମସିହାରେ ସମଗ୍ର ଦେଶରେ ଦାଦନ ଖଟାଇବା ନିମନ୍ତେ ୧୨୪୭ଜଣ ଲୋକଙ୍କୁ ମାନବ ଚୋରାଚାଲାଣର ଶିକାର ହେବାକୁ ପଡ଼ିଥିବାବେଳେ କେବଳ ଓଡ଼ିଶାରୁ ୬୫୩ଜଣ । ୨୦୨୦ ମସିହାରେ ରାଜ୍ୟର ୭୬୪ ଜଣ ମାନବ ଚୋରାଚାଲାଣର ଶିକାର ହେବାକୁ ପଡ଼ିଥିବାବେଳେ ବେଶ୍ୟାବୃତ୍ତି ପାଇଁ ୯ଜଣ , ଘରୋଇ କାମ ପାଇଁ ୨ଜଣ, ବଳପୂର୍ବକ ବିବାହ ନିମନ୍ତେ ୬ଜଣ, ଅପରାଧ ନିମନ୍ତେ ଜଣଙ୍କୁ ଓ ଅନ୍ୟାନ୍ୟ କାରଣରୁ ୯୩ଜଣ ମାନବ ଚୋରାଚାଲାଣର ଶିକାର ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ମାତ୍ର ୧୮୯ଜଣଙ୍କୁ ମାନବ ଚୋରାଚଲାଣ ଅପରାଧରେ ଗିରଫ କରାଯାଇଥିବାବେଳେ ସେଥିରୁ ୧୨୦ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେବି ଦୋଷୀ ସାବ୍ୟସ୍ତ ହୋଇନଥିବାବେଳେ ୯ଜଣ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି ।
ତେବେ କେବଳ ନାରୀ ନିର୍ଯ୍ୟାତନା କି ମାନବ ଚୋରିରେ ନୁହେଁ ଶିଶୁଙ୍କ ବିରୁଦ୍ଧରେ ହିଂସା କ୍ଷେତ୍ରରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ୨୦୧୧ ଜନସଂଖ୍ୟା ଅନୁସାରେ ରାଜ୍ୟରେ ମୋଟ ୧.୪୪କୋଟି ଶିଶୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୧୮ରେ ୫୨୧୭, ୨୦୧୯ରେ ୭୦୧୨ ଓ ୨୦୨୦ରେ ୬୩୩୦ଜଣ ଶିଶୁ ହିଂସାର ଶିକାର ହୋଇଛନ୍ତି । ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟର ଶିଶୁଙ୍କ ବିରୁଦ୍ଧରେ ମୋଟ ଅପରାଧ ହାର ୪୩.୯ ପ୍ରତିଶତ ରହିଛି । ରାଜ୍ୟରେ ୧୮ବର୍ଷରୁ କମ୍ ମୋଟ ୬୯୧୨ଜଣ ଶିଶୁ ନିଖୋଜ ଥିବାବେଳେ ସେମାନଙ୍କ ମଧ୍ୟରୁ ୫୮୧୫ଜଣ କେବଳ ନାବାଳିକା । ୨୦୨୦ ମସିହାରେ ୨୫୫୬ଜଣ ନାବାଳିକା ଓ ୩୪୩ଜଣ ବାଳକ ନିଖୋଜ ହୋଇଥିବାବେଳେ ପୂର୍ବରୁ ୪୦୧୩ଜଣ ଶିଶୁ ନିଖୋଜ ରହିଥିଲେ । ୨୦୨୦ରେ ୩୬୪୧ଜଣ ଶିଶୁଙ୍କୁ ଠାବ କରାଯାଇଥିବା ବେଳେ ସେଥିରେ ୩୦୭୨ଜଣ ନାବାଳିକା ଥିଲେ ମଧ୍ୟ ଏବେବି ୨୭୪୩ଜଣ ନାବାଳିକାଙ୍କ ପତ୍ତା ମିଳୁନି ।
‘ଏନ୍ସିଆର୍ବି’ ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ଓଡ଼ିଶା ନାରୀ ନିର୍ଯାତନା ମାମଲାରେ ଶୀର୍ଷରେ ରହିଛି। ଏହି ବର୍ଷ ୨୫,୪୮୯ଟି ମାମଲା କେବଳ ମହିଳା ମାନଙ୍କୁ ଅତ୍ଯାଚାର ସମ୍ବନ୍ଧୀୟ ଥିଲା। ତେବେ ୨୦୧୯ରେ ରାଜ୍ୟରେ ପଞ୍ଜିକୃତ ନାରୀ ନିର୍ଯାତନା ମାମଲା ସଂଖ୍ୟା ୨୩,୧୮୩ ଥିବାବେଳେ ୨୦୨୦ରେ ୨୫,୪୮୯ଟି ମାମଲା ରୁଜୁ ହୋଇଥିଲା।
ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୧୯ରେ ଦେଶରେ ମୋଟ ୩,୭୧,୫୦୩ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ବର୍ଷ ୨୦୨୦ରେ ଏହି ସଂଖ୍ୟା ବୃଦ୍ଧି ପାଇ ୪,୦୫,୩୨୬ ରେ ପହଞ୍ଚିଛି। ଅର୍ଥାତ୍ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି। ୨୦୧୯ ତୁଳନାରେ ୨୦୨୦ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ହାର ବୃଦ୍ଧି ପାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।