ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ଗତକାଲି ସରିଛି ମୋଦି ୩.୦ ସରକାର ଶପଥ ଗ୍ରହଣ । ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଲାଗିରହିଛି ସସପେନ୍ସ। ଅନ୍ୟପଟେ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ ହୋଇ ୧୦ ପରିବର୍ତ୍ତେ ୧୨ କୁ ଘୁଞ୍ଚିଛି ଶପଥ ଗ୍ରହଣ ଉତ୍ସବ ।
ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶା ଦାୟିତ୍ତ୍ବ ଦିଆଯାଇଛି । କେନ୍ଦ୍ରୀୟ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ସମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପର୍ଯ୍ୟବେକ୍ଷକ ଭାବେ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ । ବୈଠକରେ ଯୋଗଦେବା ସହ କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ତାହାକୁ ନେଇ ତର୍ଜମା କରିବେ ଦୁଇ କେନ୍ଦ୍ରମନ୍ତ୍ରୀ ।
ଉଭୟ ନେତା ୧୧ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବେ । ସେହିଦିନ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ । ଏହାପରେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ସ୍ବାକ୍ଷରରେ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।