ମା’ ର ମୃତ ଦେହ ପାଖରେ ୨ ଦିନ ପଡି ରହିଲା ବର୍ଷକର ଛୁଆ : କରୋନା ଭୟରେ କେହି ବି ସାହାଯ୍ୟ ପାଇଁ ଆସିଲେନି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୁଣେ ନିକଟସ୍ଥ ଏକ ଘର ଭିତରେ ମା’ଙ୍କ ମୃତଦେହ ପାଖରେ ଏକ ଶିଶୁ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଶିଶୁଟି ମା’ ର ମୃତ୍ୟୁ ପରଠାରୁ ବିନା ଖାଦ୍ୟରେ ସେଠାରେ ରହିଥିବାର ଦେଖିବାକୁ ମିଳିଥିଲା। ତେବେ ସବୁଠାରୁ ଦୁଃଖଦ ବିଷୟ ହେଉଛି ଯେ କରୋନା ଭୟରେ ଶିଶୁ ନିକଟରେ କେହି ବି ପହଞ୍ଚି ନ ଥିଲେ । ପରେ ଘର ମାଲିକ ପୋଲିସକୁ ଡାକିଥିଲା। 26 ଏପ୍ରିଲ ସୋମବାର ଦିନ ପୋଲିସ ଘରେ ପଶି ମହିଳାଙ୍କ ମୃତଦେହ ଏବଂ ଶିଶୁଟିକୁ ଉଦ୍ଧାର କରିଥିଲା। 24 ଏପ୍ରିଲ ଶନିବାର ଦିନ ମହିଳାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି, ଅର୍ଥାତ୍ ଶିଶୁଟି ସେହି ସମୟ ପର୍ଯ୍ୟନ୍ତ ବିନା ଖାଦ୍ୟରେ ଥିଲା । ତେବେ ଶିଶୁଟିକୁ ପଡୋଶୀ ମାନେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପୋଲିସ୍ କନଷ୍ଟେବଳ ସୁଶୀଲା ଗାବଲେ ଏବଂ ରେଖା ୱାଜେ ଶିଶୁଟିକୁ ଖାଇବାକୁ ଦେଇଥିଲେ। ସୁଶୀଲା ଗାବଲେ କହିଛନ୍ତି, “ମୋର ମଧ୍ୟ ଦୁଇଟି ସନ୍ତାନ ଅଛି, ଜଣେ ଆଠ ବର୍ଷର ଏବଂ ଜଣେ ଛଅ ବର୍ଷର । ଶିଶୁଟି ମୋ ନିଜ ଛୁଆ ଭଳି ଲାଗିଲା , ସେ ବହୁତ ଭୋକିଲା ଥିବାରୁ କ୍ଷୀର ପିଇଲା। ” ତାଙ୍କ ସହକର୍ମୀ ରେଖା କହିଛନ୍ତି ,” ଶିଶୁଟିକୁ ସାମାନ୍ୟ ଜ୍ୱର ହୋଇଥିଲା କିନ୍ତୁ ସେ ଭଲ ଥିଲା। ” କନେଷ୍ଟବଳ ସୁଶୀଲା ଗାବଲେ କହିଛନ୍ତି “ଯେତେବେଳେ ଆମେ ତାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲୁ ପିଲାଟିର ଟିକିଏ ଜ୍ୱର ଥିଲା। ଶିଶୁକୁ ବିସ୍କୁଟ ଓ ପାଣି ଦେବା ପରେ ଆମେ ଶିଶୁକୁ ସରକାରୀ ଡାକ୍ତରଖାନାକୁ COVID ପରୀକ୍ଷା ପାଇଁ ନେଇଥିଲୁ। ” ଶିଶୁଟିର COVID ପରୀକ୍ଷା ନେଗେଟିଭ୍ ଥିଲା ଏବଂ ତାଙ୍କୁ ଏକ ସରକାରୀ କ୍ରେଚକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ମା’ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ସେ କିପରି ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କର COVID ଅଛି କି ନାହିଁ ତାହା ଜଣା ପଡିନାହିଁ। ପୋଲିସ ଇନ୍ସପେକ୍ଟର ପ୍ରକାଶ ଯାଦବ କହିଛନ୍ତି, “ମହିଳାଙ୍କ ସ୍ୱାମୀ କାମ ପାଇଁ ଉତ୍ତରପ୍ରଦେଶ ଯାଇଥିଲେ। ସେ ଫେରିବା ପାଇଁ ଅପେକ୍ଷା କରିଛୁ। ”

Related Posts