ଉଦ୍ଧବ ମୋର ସେନାପତି, ମୁଁ କେବେ ତାଙ୍କ ସହ ପ୍ରତାରଣା କରିବି ନାହିଁ; ମା’ଙ୍କୁ ସଞ୍ଜୟ ରାଉତଙ୍କ ଚିଠି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶିବ‌ସେନାର ଉଦ୍ଧବ ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ‘ସେନାପତି’ ବୋଲି ସମ୍ବୋଧନ କରିଛନ୍ତି। ସେ ଠାକରେଙ୍କୁ କେବେ ବି ପ୍ରତାରଣା କରିବେ ନାହିଁ ବୋଲି କହିବା ସହ ଖୁବ୍ ଶୀଘ୍ର ସେ ନିଜ ପରିବାରକୁ ଫେରିବେ ବୋଲି କହିଛନ୍ତି।ସଞ୍ଜୟ ରାଉତ ତାଙ୍କ ମାଆଙ୍କ ନିକଟକୁ ଲେଖିଥିବା ଏକ ପତ୍ର‌ରେ ଏସବୁ କଥା ଉଲ୍ଲେଖ କରିଛନ୍ତି। ସେ କେବେ ବି ଉଦ୍ଧବ ଓ ଶିବସେନା ସହ ପ୍ରତାରଣ କରିବେ ନାହିଁ ବୋଲି କହିବା ସହିତ ଉଦ୍ଧବଙ୍କୁ ସେ ସେନାପତି ବୋଲି ସମ୍ବୋଧନ କରିଛନ୍ତି। ସଞ୍ଜୟ ମାଆଙ୍କ ନିକଟକୁ ଲେଖିଥିବା ପତ୍ରରେ ଭାବ ବିହ୍ୱଳ ହୋଇ ଏଭଳି କହିଥିବା ଦେଇବାକୁ ମିଳିଛି । ସେ ଚିଠିରେ ଆହୁରି ଅନେକ କଥା ଲେଖିଛନ୍ତି, ମୁଁ ନିଜ ନାମ କେବେ ଠକ ତାଲିକାରେ ରଖିବାକୁ ଚାହେଁ ନାହିଁ, କେହି ମୋ ନାମରେ ମିଥ୍ୟା ଅଭିଯୋଗ କରିଛି। ବାଲାସାହେବ୍ ଓ ତୁମ ଠାରୁ ପାଇଥିବା ଶକ୍ତି ଦ୍ଵାରା ଏହା ବିରୋଧରେ ମୁଁ ଲଢେଇ କରିବି ବୋଲି ସଞ୍ଜୟ ଚିଠିରେ ମା ଙ୍କୁ କହିଛନ୍ତି।

ତେବେ ସଞ୍ଜୟ ଏହି ଚିଠିଟି ଟୁଇଟ କରିବା ପରେ ଏବେ ଏହା ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେ ଗିରଫ ହେବାର ସପ୍ତାହେ ପରେ ଅର୍ଥାତ୍ ଅଗଷ୍ଟ ୮ ତାରିଖରେ ଏହି ଚିଠି ସେ ତାଙ୍କ ମାଆଙ୍କ ନିକଟକୁ ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଜେଲରେ ରହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଅନୁସନ୍ଧାନ କରୁଥିବା ପତ୍ରାଚଲ ପୁନଃନିର୍ମାଣରୁ ହୋଇଥିବା ମନି ଲଣ୍ଡରିଂ ଅଭିଯୋଗରେ ଅଗଷ୍ଟ ୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାଉତଙ୍କୁ ଗିରଫ କରାଯାଇଥିଲା। ୧,୦୩୪ କୋଟି ଟଙ୍କାର ପତ୍ରାଚଲ ଜମି ଘୋଟାଲା ମାମଲାରେ ତାଙ୍କୁ ଛଅ ଘଣ୍ଟାରୁ ଅଧିକ ସମୟର ପଚରାଉଚରା ପରେ ଗିରଫ କରାଯାଇଥିଲା। ଇଡି କହିଛି ଯେ ରାଉତ ଅଭିଯୁକ୍ତମାନଙ୍କୁ ଠକେଇ କରିବାରେ ସାହାଯ୍ୟ କରିଥିଲେ ଏବଂ ବଦଳରେ ବିଭିନ୍ନ ପଦ୍ଧତି ମାଧ୍ୟମରେ ସେନା ନେତା ଏବଂ ତାଙ୍କ ପତ୍ନୀ ବର୍ଷା ରାଉତଙ୍କୁ ୧.୦୬ କୋଟି ଟଙ୍କାର ଆର୍ଥିକ ଅନୁଗ୍ରହ ମିଳିଥିଲା।

Related Posts