ଶିବସେନା ଭବନ ଧ୍ୱଂସ ଲାଗି ବିଜେପି ବିଧାୟକଙ୍କ ଧମକକୁ ନେଇ ଉଦ୍ଧବ ଠାକରେ କହିଲେ ‘ଏତେ ଜୋରରେ ଚାପୁଡା ମାରିବି ଯେ…’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେପି ଏବଂ ଶିବସେନା। ସମୟ ଥିଲା ଏହି ଦୁଇ ଦଳ ପରସ୍ପରର ସହଯୋଗୀ ଥିଲେ। ବର୍ତ୍ତମାନ ସେମାନେ ପରସ୍ପରର ବିରୋଧୀ। ବିଜେପି ବିଧାୟକ ପ୍ରସାଦ ଲାଡଙ୍କ କଥିତ ମନ୍ତବ୍ୟକୁ ନେଇ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାଜପାକୁ କଡା ଜବାବ ଦେଇଛନ୍ତି। ଠାକରେ କହିଛନ୍ତି ଧମକାଇବା ଭଳି ଭାଷା କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏପରି ଧମକ ଦେଉଥିବା ଲୋକଙ୍କୁ ମୁହେଁ ମୁହେଁ ଜବାବ ଦିଆଯିବ।

ବିଜେପି ବିଧାୟକ ଲାଡ କହିଥିଲେ ଯେ ଯଦି ଆବଶ୍ୟକ ପଡେ ତେବେ ଶିବସେନା ଭବନକୁ ମଧ୍ୟ ଧ୍ବସ୍ତ କରିଦିଆଯିବ । ରବିବାର ବିଡିଡି ଚାଲ ପୁନର୍ବିକାଶ ପ୍ରକଳ୍ପକୁ ଉଦଘାଟନ ଅବସରରେ ଉଦ୍ଧବ ହିନ୍ଦୀ ଫିଲ୍ମ ‘ଦବଙ୍ଗ’ର ଏକ ଡାଇଲଗ୍ ମାରି କହିଥିଲେ ’ଥାପ୍ପଡସେ ଡର ନେହିଁ ଲଗତା’ । ଯେଉଁଥିରେ କାହାକୁ ବି ଆମେ ଥାପ୍ପଡ ମାରିବାର ଭାଷାରେ କହିବା ଉଚିତ ନୁହେଁ ବୋଲି କହିଥିଲେ, କାରଣ ଏହାର ପାଲଟା ଜବାବ ଏତେ ଭୟଙ୍କର ହେବଯେ ମାରିଥିବା ଲୋକ ନିଜ ଗୋଡରେ ଛିଡା ହୋଇପାରିବନି।

ଏଠାରେ ବିଡିଡି ଚାଲ୍ ପୁନର୍ବିକାଶ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଠାକରେ ନିଜର ତିନି ପାର୍ଟିର ମହାବିକାଶ ଅଘାଡି ସରକାରକୁ ଟ୍ରିପଲ୍ ସିଟ୍‌ ସରକାର ଆଖ୍ୟା ଦେଇଛନ୍ତି।ଚାଲ୍ ପୁନର୍ବିକାଶ ପ୍ରକଳ୍ପର ଲାଭାର୍ଥୀଙ୍କୁ ଯୋଜନା ପୂରା ହେବା ପରେ ଲୋଭରେ ନ ପଡିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି ଯେ , ପୁନର୍ବିକାଶର ନିର୍ମାଣରେ ମରାଠୀ ସଂସ୍କୃତିକୁ କୌଣସି ବି ମୂଲ୍ୟରେ ସଂରକ୍ଷିତ ରଖିବା ଉଚିତ୍। କାରଣ ଚାଲ୍ ଏକ ଐତିହାସିକ ବିରାସତ, ଯେଉଁଠି କ୍ରାନ୍ତିକାରୀମାନେ ନିଜର ପ୍ରାଣବଳୀ ଦେଇଛନ୍ତି। ଏହା ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନର ସାକ୍ଷୀ।

ସଭାରେ ଉପସ୍ଥିତ ଥିବା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ବିଡିଡି ଚାଲର ଉତ୍ତରାଧିକାରୀଙ୍କୁ ସୁରକ୍ଷା ଦିଆଯିବା ଉଚିତ ଏବଂ ମରାଠୀ ଭାଷାଭାଷୀ ଲୋକମାନେ ମହାରାଷ୍ଟ୍ର ହାଉସିଂ ଆଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (MHADA) ଙ୍କ ତତ୍ତ୍ବାବଧାନରେ ପରିଚାଳିତ ପୁନଃ ନିର୍ମାଣ ହୋଇଥିବା ଗୃହକୁ ଫେରିବା ଉଚିତ୍। ଏହା ସହିତ ଶରଦ ପାୱାର ଗତ କିଛି ଦିନ ହେବ ରାଜ୍ୟର ଅନେକ ମହାମାରୀ ଏବଂ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ଦେଖାଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ତେବେ ବିଜେପି ବିଧାୟକଙ୍କ ବୟାନକୁ ନେଇ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ ବିଜେପି ବିଧାୟକ ପ୍ରସାଦ ଲଡଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମରାଠୀ ମାନୁଷ ନିଶା ସେବନ କରୁଥିବା ରାଜନେତାମାନଙ୍କୁ ରକ୍ଷା କରିବେ ନାହିଁ। ଅପରପକ୍ଷରେ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଯଦି କେହି ବିଜେପି ଉପରେ ହମଲା କରନ୍ତି ତେବେ ଆମେ ଏହାର ଜବାବ ଦେବା ମଧ୍ୟ ଭଲ ଭାବରେ ଜାଣିଛୁ।

ବିଧାୟକ ପ୍ରସାଦ ଲଡ ଏହା ବିଷୟରେ ଏକ ଭିଡିଓ ରିଲିଜ କରି କହିଥିଲେ ଯେ ମୁଁ ଶିବସେନା ଭବନକୁ ଏକ ପବିତ୍ର ସ୍ଥାନ ବୋଲି ଭାବି ଥାଏ ଏବଂ ମୁଁ ଶିବସେନା ମୁଖ୍ୟ କିମ୍ବା ତାଙ୍କ କୋଠା ବିଷୟରେ କହୁ ନାହିଁ। ମୋ କଥାକୁ ଭୁଲ୍ ବ୍ୟାଖ୍ୟା କରାଯାଇଛି।

Related Posts