କେନ୍ଦ୍ରକୁ ଟାର୍ଗେଟ କଲେ ଓୱାଇସି : ଟ୍ରିପଲ ତଲାକ ଆଇନକୁ କହିଲେ ଅସାମ୍ବିଧାନିକ, ପଚାରିଲେ – ପେଗାସସ ଉପରେ ଆଲୋଚନା ପାଇଁ କାହିଁକି ଡରୁଛନ୍ତି ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତିନି ତଲାକ ବିରୋଧରେ ଆଇନ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ମୁସଲିମ ମହିଳା ଅଧିକାର ଦିବସ’ ପାଳନ କରାଯାଇଛି। ତେବେ ଏହି ତିନି ତାଲାକ ଆଇନକୁ ବେଆଇନ ବୋଲି କହି ଏଆଇଏମ୍ଆଇଏମ୍ ସଭାପତି ଓୱାଇସି କହିଛନ୍ତି ଯେ ଏହି ଆଇନ ଅସାମ୍ବିଧାନିକ ଏବଂ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସେ କହିଛନ୍ତି ଯେ ଏହି ଆଇନ୍ ସମାନତାର ବିରୁଦ୍ଧରେ ଏବଂ ମୁସଲମାନମାନଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଇଛି। ସେ ପ୍ରଶ୍ନ କରିଛନ୍ତି, ‘ମୋଦୀ ସରକାର କଣ କେବଳ ମୁସଲମାନ ମହିଳା (ଅଧିକାର) ଦିବସ ପାଳନ କରିବେ କି ? ଆଉ ତାହାଲେ ହିନ୍ଦୁ, ଦଳିତ ଏବଂ ଓବିସି ମହିଳାଙ୍କ ବିଷୟରେ ସରକାର କ’ଣ ଭାବୁଛନ୍ତି ? ‘

ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି ଯେ ଏହି ଆଇନ୍ ଯୋଗୁଁ ମହିଳାମାନଙ୍କୁ ଅଧିକ ହଇରାଣ କରାଯିବ ଏବଂ ସେମାନଙ୍କର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବ। କେବଳ ମାମଲା ପଞ୍ଜିକୃତ ହେବ, ସେମାନେ ନ୍ୟାୟ ପାଇ ପାରିବେ ନାହିଁ। ମୁସଲମାନମାନେ ଏହାକୁ ଗ୍ରାଉଣ୍ଡରେ ଗ୍ରହଣ କରିନାହାଁନ୍ତି ବୋଲି ଏଆଇଏମ୍ଆଇଏମ୍ ସାସଂଦ ଅସଦ୍ଦୁଦିନ ଓୱାଇସି କହିଛନ୍ତି।

ଏହା ବ୍ୟତୀତ ବର୍ତ୍ତମାନ ଦେଶର ସବୁଠାରୁ ଚର୍ଚ୍ଚିତ ଏବଂ ବିବାଦୀୟ ପ୍ରସଙ୍ଗ ପେଗାସସ୍ ଗୁପ୍ତଚର ବିବାଦ ଉପରେ ଓୱାଇସି କହିଛନ୍ତି ଯେ , ‘ କେନ୍ଦ୍ର ସରକାର ସଂସଦରେ ପେଗାସସ୍ ବିଷୟରେ ଆଲୋଚନା କରିବାକୁ କାହିଁକି ଡରୁଛନ୍ତି ? ଆପଣ ଏଥିରେ କ’ଣ ଲୁଚାଇବାକୁ ଚାହୁଁଛନ୍ତି? ଆମେ ଚାହୁଁ ସଂସଦ ଚାଲୁ କିନ୍ତୁ ଆପଣ ଏହା ଚାହୁଁନାହାଁନ୍ତି। ଆପଣ କେବଳ ବିଲ୍ ପାସ୍ କରିବାକୁ ଚାହୁଁଛନ୍ତି। ଏହା କଣ ଗଣତନ୍ତ୍ର କି ? ଆମକୁ ଆମର ମତ ପ୍ରକାଶ କରିବାର ସୁଯୋଗ ଦିଆଯାଉ ନାହିଁ ବୋଲି ଓୱାଇସି କହିଛନ୍ତି । ‘

Related Posts