ଉଦ୍ଧବ ଠାକ୍‌ରେଙ୍କ ପାର୍ଟି ସହିତ ମେଣ୍ଟ ସ୍ୱାଭାବିକ ଏବଂ ସ୍ଥାୟୀ ନୁହେଁ : ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ (ଏମ୍‌ଭିଏ) ସରକାରର ପତନକୁ ଦେଢ଼ମାସ ବିତିନଥିବା ବେଳେ ମେଣ୍ଟ ସହଯୋଗୀ କଂଗ୍ରେସ ଏବଂ ଶିବସେନା ମଧ୍ୟରେ ବିବାଦ ଦେଖାଦେଇଛି । ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ ଶୁକ୍ରବାର କହିଛନ୍ତି, ଉଦ୍ଧବ ଠାକ୍‌ରେଙ୍କ ପାର୍ଟି ସହିତ ତାଙ୍କ ମେଣ୍ଟ୍ ସ୍ୱାଭାବିକ ଏବଂ ସ୍ଥାୟୀ ନୁହେଁ । ଯେଉଁ ସମୟରେ ଶିବସେନା ସହ ମେଣ୍ଟ୍ ହୋଇଥିଲା ସେତେବେଳେ ପରିସ୍ଥିତି ଅଲଗା ଥିଲା ବୋଲି ସେ କହିଛନ୍ତି ।ବିଧାନ ପରିଷଦରେ ବିରୋଧୀ ଦଳ ନେତା ରୂପେ ଶିବସେନାର ଅମ୍ବା ଦାସ ଦାନବେଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପଟୋଲେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପଦ କଂଗ୍ରେସକୁ ଦିଆଯିବା ଉଚିତ ଥିଲା ବୋଲି ସେ କହିଛନ୍ତି । ଏନ୍‌ସିପି ଏବଂ ଶିବସେନା ମିଳିମିଶି ସମସ୍ତ ପଦକୁ ନିଜ ମଧ୍ୟରେ ବାଣ୍ଟି ନେଉଛନ୍ତି ବୋଲି ପାଟୋଲେ ଅଭିଯୋଗ କରିଛନ୍ତି ।

ନିକଟରେ ଶିବସେନା ଦାନ୍‌ବେଙ୍କୁ ବିଧାନ ପରିଷଦରେ ବିରୋଧୀ ଦଳ ନେତା ନିଯୁକ୍ତ କରିଥିଲା । ପଟୋଲେ ଅଭିଯୋଗ କରିଛନ୍ତି, କଂଗ୍ରେସକୁ ବିଶ୍ୱାସକୁ ନନେଇ ଏହି ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି, ବିଧାନସଭାରେ ଏନ୍‌ସିପି ବିଧାୟକଙ୍କୁ ବିରୋଧୀ ଦଳ ନେତା କରାଯାଇଥିବା ବେଳେ ପରିଷଦର ଉପାଧ୍ୟକ୍ଷ ପଦ ଶିବସେନାକୁ ଦିଆଯାଇଛି । କଂଗ୍ରେସ ପକ୍ଷରୁ ବିରୋଧୀ ଦଳର ନେତା ହେବା ଉଚିତ ଥିଲା, ମାତ୍ର ଆମକୁ ନପଚାରି ନିଷ୍ପତ୍ତି ନିଆଯାଇଛି ବୋଲି ପଟୋଲେ କହିଛନ୍ତି । ଆମେ ଏହି ପ୍ରସଙ୍ଗକୁ ଉଠାଇବୁ, ଏହି ମାମଲାରେ ଶିବସେନା ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ଏହା ଶିବସେନା ଉପରେ ନିର୍ଭର କରୁଛି ।

ଏକ ଭିନ୍ନ ପରିସ୍ଥିତିରେ ଆମେ ଶିବସେନା ସହ ମେଣ୍ଟ କରିଥିଲୁ । ଏହା ଆମର ସ୍ୱାଭାବିକ କିମ୍ବା ସ୍ଥାୟୀ ମେଣ୍ଟ୍ ନୁହେଁ ବୋଲି ପଟୋଲେ କହିଛନ୍ତି । ସେହିପରି ଶିନ୍ଦେ-ଫଡ଼ନାବୀସ୍‌ଙ୍କ ନେତୃତ୍ୱାଧୀନ ସରକାରକୁ ପଟୋଲେ ଟାର୍ଗେଟ୍ କରି କେନ୍ଦ୍ରୀୟ ଏଜେନ୍ସି ଏବଂ ଅର୍ଥ ବଳରେ ସରକାର ଗଠନ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ସରକାର ବେଶୀ ସମୟ ତିଷ୍ଠିବ ନାହିଁ ବୋଲି ମଧ୍ୟ ସେ ଦାବି କରିଛନ୍ତି । ପଟୋଲେ କହିଛନ୍ତି, ସରକାର ଗଠନର ୩୯ ଦିନ ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ବିଭାଗର ତୁରନ୍ତ ଆବଣ୍ଟନ ନେଇ ମହାରାଷ୍ଟ୍ରରେ ଏକ ପରମ୍ପରା ରହିଛି, ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏଥିରୁ ଜଣାପଡ଼ୁଛି ବିଭାଗକୁ ନେଇ ଦୁଇ ପାର୍ଟି ମଧ୍ୟରେ ଲଢ଼େଇ ଚାଲିଛି ବୋଲି ପଟୋଲେ କହିଛନ୍ତି ।

Related Posts