ବିଧାୟକ ମହମ୍ମଦ ମୋକିମଙ୍କ ପତ୍ତା କଟିଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ନୂଆ ପିସିସି ସଭାପତି ନିଯୁକ୍ତି ପରଠାରୁ ସବୁବେଳେ ଚର୍ଚ୍ଚାରେ ଥିବା କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ପତ୍ତା କାଟିଛି କଂଗ୍ରେସ। ମୋକିମଙ୍କ ଏକାନ୍ତ ଅନୁଗତ ଗିରିବାଳା ବେହେରାଙ୍କୁ ନିବୃତ କରି ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କୁ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ସୁରେଶଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି। ଏହାସହିତ ନଗର କଂଗ୍ରେସ ଅନ୍ତର୍ଗତ ସମସ୍ତ ବ୍ଲକ୍ କଂଗ୍ରେସ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ନଗର ମହିଳା କଂଗ୍ରେସ ଠିକ୍‌ଭାବେ କାମ କରୁନାହିଁ ଏବଂ ଦିନକୁଦିନ ଦୁର୍ବଳ ହୋଇଯାଉଛି ବୋଲି ଦର୍ଶାଇ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କେବଳ ମୋକିମ୍‌ଙ୍କୁ କଡ଼ା ଜବାବଦେବାକୁ ଏହିଭଳି ଏକ ନିଷ୍ପତ୍ତି ନିଆଯାଇଥିବା ଏବେ ଦଳୀୟ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି ।

ସୂଚନା ଅନୁସାରେ, ନିରଞ୍ଜନଙ୍କୁ ହଟାଇ ପିସିସି ଚଉକି ପାଇଁ ଆଶା ରଖିଥିଲେ ମୋକିମ। ହେଲେ ହାଇକମାଣ୍ଡ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ରୂପେ ନିଯୁକ୍ତି ଦେବାପରେ ମୋକିମ ଅସନ୍ତୁଷ୍ଟ ଥିବା ସବୁଆଡେ ଆଲୋଚନା ହୋଇଥିଲା। ଆଉ ଏହି ଆଲୋଚନାକୁ ଖୋରାକ ଯୋଗାଇଥିଲା ଶରତଙ୍କୁ ସ୍ବାଗତ ପାଇଁ ହୋଇଥିବା କାର୍ଯ୍ୟକ୍ରମରେ ମୋକିମଙ୍କ ଅନୁପସ୍ଥିତି। ପରେ ମୋକିମ୍ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୋକିମଙ୍କ ଘରକୁ ଯିବା ମୋକିମ ଯେ ଦଳରେ ଅସନ୍ତୁଷ୍ଟ ଏହାକୁ ବୟାନ କରିଥିଲା। ତେବେ ଦୁଇଦିନ ପୂର୍ବରୁ କଟକ ଅଞ୍ଚଳରେ ମୋକିମ୍‌ଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା ବରିଷ୍ଠ ନେତା ଅଶୋକ ସାମଲ, ବିଶ୍ବଜିତ ଦାସ, ନିକୁଞ୍ଜ ପଶାୟତ ପ୍ରମୁଖ ଦଳର ହାଇକମାଣ୍ଡଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ଦଳରୁ ଇସ୍ତଫା ଦେଇଥିଲେ। ଏହିପରି ଗୋଟିଏ ପରେ ଗୋଟିଏ ଘଟଣା ଦଳକୁ ମୋକିମ୍‌ଙ୍କ ଜବାବ ବୋଲି ଆଲୋଚନା ହେଉଥିବାବେଳେ ଆଜି ହଠାତ୍ କଟକ ନଗର କଂଗ୍ରେସ ସଭାପତି ପରିବର୍ତ୍ତନ ସହ ନଗର ମହିଳା କଂଗ୍ରେସ କମିଟି ଓ ବ୍ଲକ୍ କମିଟି ଭାଙ୍ଗିଦେଇ ଦଳର ‌ରାଜ୍ୟ ନେତୃତ୍ବ ମୋକିମଙ୍କୁ ପାଲଟା ଜବାବ ଦେଇଥିବା କୁହାଯାଉଛି।

ତେବେ ପୁରୀଘାଟସ୍ଥିତ ମୋକିମଙ୍କ ଘରେ ନଗର କଂଗ୍ରେସ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଥିଲା। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ମୋକିମ୍ ୧୦ ବର୍ଷ ନଗର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିବା ଏବଂ ପରେ ଗିରିବାଳା ବେହେରା ନଗର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିବା ସମୟରେ ଦଳୀୟ କାର୍ଯ୍ୟାଳୟ ପୁରୀଘାଟରେ କାର୍ଯ୍ୟ କରିଆସୁଛି। ମାତ୍ର ଏହା ପୂର୍ବରୁ ଅର୍ଥାତ୍‌ ୨୦୦୨ରୁ ୨୦୧୧ ଯାଏ ସୁରେଶ ମହାପାତ୍ର ନଗର ସଭାପତି ଥିବାସମୟରେ କଲେଜ ଛକରେ ନଗର କଂଗ୍ରେସ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଥିଲା। ଯଦିଓ ସୁରେଶ ଏବେବି ତାହାକୁ କଂଗ୍ରେସ ଅଫିସ୍ ଭାବେ ବ୍ୟବହାର କରି ଆସୁଛନ୍ତି, ବର୍ତ୍ତମାନ ପୁଣିଥରେ ସେଠାରେ ନଗର କଂଗ୍ରେସ କାର୍ଯ୍ୟାଳୟ ଚାଲିବ ବୋଲି ଜଣାପଡ଼ିଛି। ପୂର୍ବରୁ ସୁରେଶ ଓ ମୋକିମ୍‌ଙ୍କ ଶିବିର ମଧ୍ୟରେ ଶୀତଳଯୁଦ୍ଧ ଲାଗିରହିଥିଲା। ମାତ୍ର ସଦ୍ୟ ସମାପ୍ତ କଟକ ପୌର ନିଗମ ନିର୍ବାଚନରେ ଦୁଇଜଣ କିଛି ପରିମାଣରେ ଏକାଠି କାମ କରୁଥିବା ଦେଖିବାକୁ ମିଳିଥିଲା। ଏବେ ମୋକିମ ଓ ତାଙ୍କ ସମର୍ଥକମାନେ କଂଗ୍ରେସରେ ରହିବେ ନରହିବେ, ତାହାକୁ ନେଇ ତର୍ଜମା ଚାଲିଥିବା ବେଳେ ପୁଣିଥରେ ଦୁଇ ଶିବିର ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହେବାନେଇ ଅନୁମାନ କରାଯାଉଛି।

ତେବେ, ଏନେଇ ଭିନ୍ନ ମତ ପ୍ରଦାନ କରିଛନ୍ତି ନବନିଯୁକ୍ତ ନଗର ସଭାପତି ସୁରେଶ। ସେ କହିଛନ୍ତି, ତାଙ୍କର କାହା ସହ ବିବାଦ ନାହିଁ। ମହମ୍ମଦ ମୋକିମ, ଗିରିବାଳା ବେହେରାଙ୍କୁ ନେଇ କାମ କରିବାରେ ତାଙ୍କର କୌଣସି ସମସ୍ୟା ନାହିଁ। କଂଗ୍ରେସ ସଂଗଠନକୁ କଟକରେ ଅଧିକ ସଶକ୍ତ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପଟେ ସଭାପତି ପଦ ହରାଇଥିବା ଗିରିବାଳା ବେହେରା କହିଛନ୍ତି ଯେ ତାଙ୍କୁ ଏ ସଂପର୍କରେ ପୂର୍ବରୁ ଦଳ ପକ୍ଷରୁ କେହିକିଛି କହି ନଥିଲେ।‌ ସେ ଆଜି ନୂଆ ସଭାପତି ନିଯୁକ୍ତି ସଂପର୍କରେ ଅନ୍ୟମାନଙ୍କଠାରୁ ଶୁଣିଲେ। ଏଥିରେ ତାଙ୍କର କୌଣସି ପ୍ରକାର ଦୁଃଖ ନାହିଁ। ‌ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ସେ ତାହାକୁ ନିଷ୍ଠାର ସହ ପାଳନ କରିଛନ୍ତି ଓ ଆଗକୁ ମଧ୍ୟ କରିବେ। ସେ କଂଗ୍ରେସ ଛାଡ଼ି ଅନ୍ୟ କେଉଁ ଦଳକୁ ଯିବାକୁ ଚିନ୍ତା ବି କରିନାହାନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନୂଆ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଦଳର ଜଣେ ଆଗ ଧାଡିର ସଂଗ୍ରାମୀ ନେତା ଭାବେ ପରିଗଣିତ। ସେ ଦୀର୍ଘ ୧୦ ବର୍ଷ ନଗର କଂଗ୍ରେସ ସଭାପତି ରହିବା ସହିତ ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ଏବଂ ଉପସଭାପତି ଭାବେ ବିଭିନ୍ନ ସମୟରେ କାର୍ଯ୍ୟ କରିଆସିଛନ୍ତି। ସେ ଏଯାଏ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ନଥିଲେ ମଧ୍ୟ ବିଭିନ୍ନ ସମୟରେ କଟକ ସଦର, ଚୌଦ୍ବାର-କଟକ ଏବଂ ଆଠଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢି ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ କଡ଼ାଟକ୍କର ଦେବା ସହିତ ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇ ଆସିଛନ୍ତି।

Related Posts