ପାୱାର ତୁମେ କ’ଣ କଲ, ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ବନେଇ ଦେଲ

(ସତ୍ୟପାଠ ବ୍ୟୁରୋ) ମହାରାଷ୍ଟ୍ରରେ ହେବ ଶିବସେନା-କଂଗ୍ରେସ ଓ ଏନସିପିର ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ପଦରୁ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କ ଇସ୍ତଫା ପରେ ଏନେଇ ପଥ ପରିଷ୍କାର ହୋଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ସେହିଭଳି କଂଗ୍ରେସର ବାଲା ସାହେବ ଥୋରାଟ ଓ ଏନସିପିର ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅନ୍ୟପଟେ ରାଜ୍ୟପାଳ ଭଗତ ସିଂ କୋସିୟାରୀ ବିଜେପିର କାଲିଦାସ କୋଲାମ୍ବକରଙ୍କୁ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି । ସେ ଆସନ୍ତା କାଲି ସକାଳ ୮ଟାରେ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ ଏନ୍‌ସିପି ବିଧାୟକ ଦଳ ନେତା ଭାବେ ଅଜିତ ପାଓ୍ଵାର ସମସ୍ତ ଏନସିପି ବିଧାୟକଙ୍କ ସମର୍ଥନ ଆମକୁ ଦେଇଥିଲେ । ତାଙ୍କ ସମର୍ଥନ ଭିତ୍ତିରେ ଆମେ ସରକାର ଗଠନ କରିଥିଲୁ । କିନ୍ତୁ କିଛି ଆଜି ଅଜିତ ଇସ୍ତଫା ଦେବା ପରେ ଆମ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଇସ୍ତଫା ଦେଇଛି । ନିର୍ବାଚନ ପୂର୍ବରୁ ଶିବସେନା କିଛି ସର୍ତ୍ତ ରଖିନଥିଲା କିନ୍ତୁ ମହାମେଣ୍ଟକୁ ଜନାଦେଶ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଲଚାଲ କରିବା ଆରମ୍ଭ କରିଥିଲା । ଏପରିକି ଯେତେବେଳେ ସରକାର ଗଠନ ପାଇଁ ଆମ ଦୁଇ ଦଳକୁ ରାଜ୍ୟପାଳ ନିମନ୍ତ୍ରଣ ଦେଲେ ସେତେବେଳେ ଶିବସେନା ଆମ ହାତ ଛାଡ଼ିଥିଲା । ପରେ ଏନସିପି-କଂଗ୍ରେସ ସହ ସାମିଲ ହୋଇ ଗଣତନ୍ତ୍ରକୁ ଧୋକା ଦେଇଛି ଶିବସେନା । ତେବେ ଯେଉଁମାନେ ସରକାର ଗଢ଼ିବାକୁ ଯାଉଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କଟାକ୍ଷ କରି କହିଛନ୍ତି ଆମ ପାଖରେ ବହୁମତ ନାହିଁ କିନ୍ତୁ, ଯେଉଁମାନେ ସରକାର ଗଢ଼ିବାକୁ ଯାଉଛନ୍ତି ସେମାନଙ୍କ ସେମାନଙ୍କ ମଧ୍ୟରେ ଭାଷାଗତ ମତଭେଦ ଅଧିକ ରହିଛି । ତେଣୁ ଏ ସରକାର କେତେଦିନ ଚାଲିବ ତାହା ଭଗବାନଙ୍କୁ ଜଣା ବୋଲି କହିଛନ୍ତି ଫଡ଼ନାଭିସ ।

Related Posts