ବିଧାନସଭା ପାଇଁ ଚାପି ଦିଆଗଲା ହାଜତ ମୃତ୍ୟୁ !

(ସତ୍ୟପାଠ ବ୍ୟୁରୋ) ହାଜତ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନାରେ ସନ୍‌ସନି । ବିଧାନସଭା ଚାଲିଥିବା ବେଳେ ହାଜତ ମୃତ୍ୟୁ ମାମଲାକୁ ଚାପିବା ପାଇଁ ପୋଲିସ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ 18 ତାରିଖରେ ପାରିବାରିକ କଳହକୁ ନେଇ ବଡ଼ବିଲ ଥାନା ସେଡିଙ୍ଗ ବସ୍ତିର ସୁରେଶ ନାୟକ ତାଙ୍କ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା । ନିଶାଶକ୍ତ ଅବସ୍ଥାରେ ମାଆ ବାସନ୍ତୀ ନାୟକଙ୍କୁ ପିଟି ପିଟି ବାପା ସୁରେଶ ନାୟକ ହତ୍ୟା କରିଥିବା ନେଇ ତାଙ୍କ ପୁଅ ବଡ଼ବିଲ ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ସୁରେଶକୁ ଗିରଫ କରିଥିଲା ।  ବିଡମ୍ବନା ସୁରେଶଙ୍କୁ ସୋମବାରରୁ ଗିରଫ କରିଥିଲେ ବି ତାଙ୍କୁ କୋର୍ଟ ଚାଲାଣ ନକରି ହାଜତରେ ରଖିଥିଲା ପୋଲିସ  । କିନ୍ତୁ ଗୁରୁବାର ଅଭିଯୁକ୍ତ ସୁରେଶର ହାଜତ ଭିତରେ ମୃତ୍ୟୁ ହୋଇଛି । ନିୟମ କହୁଛି ଅଭିଯୁକ୍ତଙ୍କୁ ଗିରଫ କରିବାର 24 ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ କରିବା କଥା, କିନ୍ତୁ ପୋଲିସ ତାହା କଲା ନାହିଁ ।

ସେପଟେ ସୋମବାରରୁ ବୁଧବାର ଯାଏ 3 ଦିନ ଧରି ହାଜତରେ ନିର୍ଯାତନା କରାଯାଇଥିବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲିସ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦ୍ବିତୀୟରେ ଡି.କେ ବାସୁଙ୍କ ଜଜ୍‌ମେଣ୍ଟ କହୁଛି ହାଜତରେ ଥିବା ଅଭିଯୁକ୍ତ ଏବଂ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ହାଜତରେ ସିସିଟିଭି କ୍ୟାମେରା ଲାଗିବା କଥା । ବଡ଼ବିଲ ଥାନାର ସିସିଟିଭିର ଫୁଟେଜ କେଉଁଠି ଅଛି । ଶବ ବ୍ୟବଚ୍ଛଦର ଭିଡିଓଗ୍ରାଫି ହେବା କଥା ତାହା ହୋଇଛି ନା ନାହିଁ ? ଏହା ଛଡ଼ା ଜଣେ SIଙ୍କ ଅଡ଼ିଓ ଏବେ ଭାଇରାଲ ହୋଇଛି । ସେଥିରେ ଜଣେ କହୁଛନ୍ତି ଯେ ଅଭିଯୁକ୍ତ ବେକରେ ଗାମୁଛା ଗୁଡ଼ାଇ ଦେଇଥାଇପାରେ । ଅଡିଓରେ ଅନ୍ୟଜଣେ କହୁଛନ୍ତି ବିନା କାରଣରେ କାହିଁକି ହାରାସ କରାଯାଉଛି ତାହା ମୁଁ ଜାଣିଛି । ଅର୍ଥାତ ଏକଥାରୁ ଜଣାପଡ଼ୁଛି ଯେ କେଉଁଠି ନା କେଉଁଠି କିଛି କଥାକୁ ଚାପିବାକୁ ଉଦ୍ୟମ କରାଯାଉଛି । ଏବେ ସୁରେଶଙ୍କ ମୃତ୍ୟୁ ହେବା ପରେ ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛି । କୁହାଯାଉଛି ବିଧାନସଭା ଚାଲିଥିବାରୁ ଏହି ଘଟଣାକୁ ନେଇ କାଳେ ବିରୋଧୀ ଦଳମୁଡ଼ିକ ପ୍ରସଙ୍ଗ କରିଦେବେ ସେହି ଭୟରେ ପୋଲିସ ଘଟଣାକୁ ଚାପିବାକୁ ଚେଷ୍ଟା କରୁଛି ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଥାନା, କଚେରି ଓ ମୃତ୍ୟକୁ ନେଇ ରାଜନତୀ କରାନଯାଉ । କିନ୍ତୁ ସେହି ଥାନାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର 3 ଦିନ ଯାଏ ତାକୁ କୋର୍ଟ ଚାଲାଣ କରାଯାଉନି ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ତାର ଜୀବନ ଯାଉଛି । ଏହାକୁ ନେଇ ଗୁଡ଼ାଏ ଅସମହିତ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି ।

ନବୀନବାବୁ ବଡ଼ବିଲ ଥାନାରେ ହୋଇଥିବା ହାଜତ ମୃତ୍ୟୁ ବିଷୟରେ ଜାଣିଛନ୍ତି ନା ନାହିଁ ?

ସୋମବାରରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ବି ତାକୁ କୋର୍ଟ ଚାଲାଣ ନକରି ପୋଲିସ ହାଜତରେ ରଖିଥିଲା କାହିଁକି ?

ଯଦିଓ ଗିରଫଦାରୀର 24 ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବାର ନିୟମ ଅଛି, ସେ ନିୟମକୁ ପୋଲିସ କାହା ନିର୍ଦ୍ଦେଶରେ ଭାଙ୍ଗିଲା ?

18 ତାରିଖରୁ 21 ତାରିଖ ଯାଏ କୋର୍ଟ ଚାଲାଣ ନକରି ପୋଲିସ କରୁଥିଲା କ’ଣ ?

ଅଭିଯୁକ୍ତଙ୍କ ସହ ହାଜତ ଭିତରେ ପୋଲିସ ଏଭଳି କ’ଣ କଲା ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ?

5-ଟି କାର୍ଯ୍ୟକ୍ରମରେ ସବୁଠୁ ଅଧିକ ସ୍ବଚ୍ଛ ଏବଂ ସବୁଠୁ ଅଧିକ ଆକ୍ଟିଭ ଥିବା ପୋଲିସ ଚୁପ୍ ରହିଲା କାହିଁକି ?

ବିଧାନସଭା ଚାଲିଥିବାରୁ ବିରୋଧୀଙ୍କ ନଜରକୁ କିଭଳି ଏହି ଘଟଣା ନଆସିବ ସେଥିପାଇଁ ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଛି କି  ?

5-ଟି ବିଭାଗ, ମୁଖ୍ୟମନ୍ତ୍ରୀ କିମ୍ବା 5-ଟି ସାର ଘଟଣା ସମ୍ପର୍କରେ ଜାଣିଛନ୍ତି  ନା ନାହିଁ ?

ନବୀନ ବାବୁ ମୃତକଙ୍କ ପରିବାର ସହ 5-ଟି ଫୋନରେ କଥା ହେବେ କି ?

ହାଜତରେ ସୁରେଶ ପୋଲିସର ଅତ୍ୟାଚର ସହ୍ୟ କରିପାରିଲେନି କି ? ଯେଉଁଥିପାଇଁ ସେ ଆତ୍ମହତ୍ୟା କଲେ  ?

ସୁରେଶଙ୍କ ଆତ୍ମହତ୍ୟା ପଛରେ ହାଜତରେ ପୋଲିସର ହତ୍ୟାଚାର ନାହିଁ ତ ?

ସେପଟେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସଫେଇ ଦେଇଛନ୍ତି । ଏସ୍‌ପିଙ୍କ କହିବା କଥା ବଡ଼ବଲ ଥାନା 4 ନମ୍ବର ୱାର୍ଡରେ ରହୁଥିବା ମୁକେଶ ନାୟକ ନିଶାଶକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ବାଡିରେ ପିଟି ପିଟି ହତ୍ୟା କରିଛି । ପ୍ରାଥମିକ ତଦନ୍ତ କରି ସୁରେଶଙ୍କ ବିରୋଧରେ ପ୍ରମାଣ ପାଇବା ପରେ ବୁଧବାର ସଂଧ୍ୟାରେ ତାକୁ ଗିରଫ କରିଥିଲା ।  ଗୁରୁବାର ସକା 6ଟା 10ରେ ସୁରେଶ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲା । ସୁରେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପ୍ରାୟ 7ଟା 30 ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଏସ୍‌ପି । ଏହା ପରେ ଜାତୀୟ ମାନାବଧିକାର କମିସନଙ୍କ ଗାଇଡଲାଇନ ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ତଦନ୍ତ କରିବାକୁ କେନ୍ଦୁଝର ଡିଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍‌ପି ।

 

Related Posts