ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଏକ ବିପର୍ଯ୍ୟୟ ର ସାମ୍ନା କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆଜି ଉଦ୍ଧବ ରାଷ୍ଟ୍ରପତି ନିର୍ବାଚନ ନେଇ ନିଜ ବାସଭବନରେ ଦଳର ସମସ୍ତ ସାଂସଦଙ୍କ ସହ ଏକ ବୈଠକ ଡାକିଥିଲେ ଏହି ବୈଠକ ରେ ଦଳ ର ୭ଜଣ ସାଂସଦ ଅନୁପସ୍ଥିତ ଥିଲେ। ଏହାପରେ ଏହି ୭ଜଣ ସାଂସଦ ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବାନେଇ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଏହି ୭ସାଂସଦଙ୍କ ମଧ୍ୟରେ ଏକାନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବଂ ଭବନା ଗୱାଲି ଅଛନ୍ତି। ନିକଟରେ ଭବନା ଗୱାଲିଙ୍କୁ ମୁଖ୍ୟ ହ୍ବିପ୍ ପଦରୁ ହଟାଇଥିଲେ ଉଦ୍ଧବ ଠାକରେ। ତାଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଦାୟିତ୍ବ ଦିଆଯାଇଥିଲା।
ତେବେ ଉଲ୍ଲେଖଯୋଗ୍ୟ ଯେ ଶିବସେନାର ବର୍ତ୍ତମାନ ଲୋକସଭାରେ ୧୯ ଓ ରାଜ୍ୟସଭାରେ ୩ ସାଂସଦ ଅଛନ୍ତି। କିନ୍ତୁ ଲୋକସଭାର ୧୯ ସାଂସଦଙ୍କ ମଧ୍ୟରୁ ଆଜିର ବୈଠକରେ ୧୨ ଜଣ ସାଂସଦ ସାମିଲ ହୋଇଥିଲେ।