ରୁଷଠୁ ଭାରତ ତେଲ କିଣିବା ନେଇ ୟୁକ୍ରେନର କଡ଼ା ପ୍ରତିକ୍ରିୟା: ତୈଳ କିଣି ୟୁକ୍ରେନର ରକ୍ତ କିଣୁଛି ଭାରତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ଅନେକ କଟକଣା ପରେ ମଧ୍ୟ ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ସେପଟେ ଉଭୟଙ୍କ ଯୁଦ୍ଧକୁ ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ, ଯୁଦ୍ଧ ବନ୍ଦ କରିବା ପାଇଁ ଦୁଇ ଦେଶକୁ କହିଛି।

ସେପଟେ ଋଷ ଠୁ ତେଲ କିଣିବା ନେଇ ୟୁକ୍ରେନ ଭାରତ ବିରୋଧରେ ବିଷୋଦଗାର କରିଛି। ୟୁକ୍ରେନ କହିଛି ରୁଷଠୁ ଅଶୋଧିତ ତୈଳ କିଣି ଭାରତ ୟୁକ୍ରେନର ରକ୍ତ କିଣୁଛି। ଉଲ୍ଲେଖନୀୟ ୟୁକ୍ରେନ ଉପରେ ରୁଷ ଚଳିତ ବର୍ଷ ଫେବୃଆରୀ ୨୪ରେ ଆକ୍ରମଣ କରିଥିଲା। ଏହା ପରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକ ରୁଷ ଉପରେ ଅନେକ କଡା କଟକଣା ଲଗାଇଛନ୍ତି। ମାତ୍ର ଭାରତ ପାଶ୍ଚାତ୍ୟ ଦେଶଗୁଡିକର ସମାଲୋଚନାକୁ ଭ୍ରୁକ୍ଷେପ ନକରି ରୁଷଠୁ ତେଲ କିଣିବା ଜାରି ରଖିଛି। ୟୁକ୍ରେନ ଯୁଦ୍ଧ ପରେ ଭାରତର ରୁଷଠୁ ତେଲ ଆମଦାନୀ ବଢିଛି। ଏହା ସହିତ କାରବାର ମଧ୍ୟ ଜାରି ରହିଛି।

ଏହି ପ୍ରସଙ୍ଗରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି, ଯେବେ ଭାରତ ଡିସକାଉଣ୍ଟରେ ରୁଷଠୁ ଅଶୋଧିତ ତେଲ କିଣୁଛି ତେବେ ତାକୁ ଏହା ବୁଝି ନେବାକୁ ହେବ ଯେ, ଏହି ଡିସକାଉଣ୍ଟର ଭରଣା ଅନ୍ୟ କୌଣସିଠୁ ନୁହେଁ ବରଂ ୟୁକ୍ରେନର ରକ୍ତରୁ ହେବ। ଭାରତକୁ ମିଳୁଥିବା ରୁଷ ତେଲର ପ୍ରତି ବ୍ୟାରେଲରେ ୟୁକ୍ରେନର ଲହୁ ମିଳିଛି। ଆମେ ଭାରତ ପାଇଁ ମିତ୍ର ରହି ଆସିଛୁ। ମୁଁ ଭାରତୀୟ ଛାତ୍ରଙ୍କୁ କାଢିବାରେ ବହୁତ ସମର୍ଥନ କରିଛି। ଆମକୁ ଭାରତଠୁ ବ୍ୟବହାରିକ ଭାବେ ଆହୁରି ସମର୍ଥନର ଆବଶ୍ୟକତା ଥିଲା। ହେଲେ ଭାରତ ରୁଷଠୁ ଶସ୍ତାରେ ତେଲ କିଣିବାରେ ଲାଗିଛି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ୟୁକ୍ରେନକୁ ଭାରତଠୁ ଅଧିକ ବ୍ୟବହାରିକ ସମର୍ଥନର ଏବେ ମଧ୍ୟ ଆଶା ରହିଛି। ୟୁକ୍ରେନ ଭାରତର ଏକ ବିଶ୍ଵସନୀୟ ଭାଗିଦାରୀ ରହିଛି। ମାତ୍ର ରୁଷଠୁ ଅଶୋଧିତ ତୈଳ କିଣି ଭାରତ ପ୍ରକୃତରେ ୟୁକ୍ରେନୀ ରକ୍ତ କିଣୁଛି। ଭାରତକୁ ନେଇ ୟୁକ୍ରେନର ଏହି କଡା ଟିପ୍ପଣୀ ଏମିତି ସମୟରେ ଆସିଛି ଯେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ କହିଥିଲେ ଯେ, ତେଲ ଏବଂ ଗ୍ୟାସ୍‌କୁ କମ ଦରରେ କିଣିବା ସରକାରଙ୍କ ନିଜ ଲୋକଙ୍କ ପ୍ରତି ନୈତିକ ଦାୟିତ୍ଵ ରହିଛି।

Related Posts