ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି; ୟୁକ୍ରେନର ମେଡ଼ିକାଲ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେଲା ଅନଲାଇନରେ ପାଠପଢ଼ା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି । ନିଜର କ୍ୟାରିୟରକୁ ନେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର । ଯୁଦ୍ଧଗ୍ରସ୍ତ ୟୁକ୍ରେନର ମେଡିକାଲ ବିଶ୍ବବିଦ୍ୟାଳୟ ଗୁଡ଼ିକ ଅନଲାଇନରେ ପାଠପଢା ଆରମ୍ଭ କରିଛନ୍ତି । ଏହା ଫଳରେ ସେଠାରୁ ପଳାଇଆସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଆଶ୍ବସ୍ତ ହୋଇଛନ୍ତି । ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭାରତ ପଳାଇଆସିଥିଲେ । ଭାରତ ସରକାର ଅପରେସନ ଗଙ୍ଗା ମାଧ୍ୟମରେ ସେମାନଙ୍କୁ ଭାରତ ନେଇଆସିଥିଲେ । କିନ୍ତୁ ଏହା ମଧ୍ୟରେ ସେମାନଙ୍କ ପାଠପଢା ଅଧୁରା ରହିଯାଇଥିଲା । କେମିତି ପାଠପଢା ଶେଷ ହେବ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ । କିନ୍ତୁ ଚଳିତ ସପ୍ତାହରେ କେତେକ ବିଶ୍ବବିଦ୍ୟାଳୟ ଅନଲାଇନରେ ପାଠପଢା ଆରମ୍ଭ କରିଛନ୍ତି ।

ଏହା ଫଳରେ ସେଠାରୁ ପଳାଇଆସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଆଶ୍ବସ୍ତ ହୋଇଛନ୍ତି । ତଥାପି ପ୍ରାକ୍ଟିକାଲକୁ ନେଇ ଚିନ୍ତା ଅବ୍ୟାହତ ରହିଛି । କାରଣ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରେ ଯାଇ ପ୍ରାକ୍ଟିକାଲ କରିବା ସମ୍ଭବ ନୁହେଁ । ଆଗକୁ ଏହା କିପରି ସମ୍ଭବ ହେବ ତାହାକୁ ନେଇ ମଧ୍ୟ ଅନିଶ୍ଚିତତା ରହିଛି । ଜଣେ ଛାତ୍ରୀ କହିଛନ୍ତି ଯେ ଗତ ୧୪ ତାରିଖରୁ ଅନଲାଇନରେ ପାଠପଢା ଆରମ୍ଭ ହୋଇଛି । ପ୍ରଥମ ଦିନ ଅନଲାଇନ ପାଠପଢାରେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପ୍ରଫେସର ଓ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ ଆସିଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts