
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କା ଯୁଦ୍ଧ ଚାଲିଛି । ରୁଷକୁ ଜୋରଦାର ଜବାବ ଦେବାରେ ଲାଗିଛି ୟୁକ୍ରେନ । ଏହା ମଧ୍ୟରେ ୟୁକ୍ରେନବାସୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ବିୟର କମ୍ପାନୀ ପେଟ୍ରୋଲ ବୋମା ତିଆରି କରୁଥିବାର କଥା ସାମ୍ନାକୁ ଆସିଛି । ଯାହା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଗତ ସପ୍ତାହ ପର୍ୟ୍ୟନ୍ତ ୟୁକ୍ରେନ୍ର ଲିଭିଭରେ ଥିବା ‘ପ୍ରଭ୍ଦା ବ୍ରିୱେରି’ ବିୟର ପ୍ରସ୍ତୁତ କରୁଥିଲା। କିନ୍ତୁ, ଗୁରୁବାର ଠାରୁ ରୁଷ୍ ଆକ୍ରମଣ କରିବା ପରେ ‘ପ୍ରଭ୍ଦା ବ୍ରିୱେରି’ ବିୟର ତିଆରି ବନ୍ଦ କରି ପେଟ୍ରୋଲ୍ ବୋମା ତିଆରି କରୁଛି। ପେଟ୍ରୋଲ୍ ବୋମା ହେଉଛି ପେଟ୍ରୋଲ ଅଥବା ଆଲକହଲ ଭଳି ଦହନଶୀଳ ପଦାର୍ଥ ପୂର୍ଣ୍ଣ ସାଧାରଣ କାଚ ବୋତଲଟିଏ। ଏଥିରେ ଅଗ୍ନି ସଂଯୋଗ ପାଇଁ କନାର ବଳିତାଟିଏ ଲାଗିଥାଏ।
‘ପ୍ରଭ୍ଦା ବ୍ରିୱେରି’ର ମାଲିକ ୟୁରି ଜନ୍ସ୍ତାଭ୍ନି କହିଛନ୍ତି, ଏ ଯୁଦ୍ଧରେ ଜିଣିବାରେ ସହଯୋଗ କରିବା ଲାଗି ଆମଦ୍ବାରା ଯାହା ସମ୍ଭବ ତାହା କରିବୁ। କେହି ହେଲେ ପେଟ୍ରୋଲ୍ ବମ୍ କରିଥାଆନ୍ତେ, ତେଣୁ ଆମେ କଲୁ। ଆମର ସେଭଳି ଦକ୍ଷତା ଅଛି। ଆମର ୨୦୧୪ରେ ହୋଇଥିବା ‘ଷ୍ଟ୍ରିଟ୍ ରିଭୋଲ୍ୟୁସନ୍’ର ଅଭିଜ୍ଞତା ଅଛି। ସେତେବେଳେ ଆମେ ‘ମୋଲୋଟୋଭ୍ କକ୍ଟେଲ୍’ ତିଆରି କରି ବ୍ୟବହାର କରିଥିଲୁ। ୨୦୧୪ରେ ହୋଇଥିବା କିଏଭ୍ର ପାଶ୍ଚାତ୍ୟ ରାଷ୍ଟ୍ର ସମର୍ଥନ ବିପ୍ଳବ (ଷ୍ଟ୍ରିଟ୍ ରିଭୋଲ୍ୟୁସନ୍) କ୍ରେମ୍ଲିନ୍ ସମର୍ଥିତ ଶାସନର ଅବଶାସ ଘଟାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ରେ ସଙ୍ଗଠିତ ଉକ୍ତ ବିପ୍ଳବରେ ଭାଗ ନେଇଥିବା ଜଣେ କର୍ମଚାରୀଙ୍କଠାରୁ ‘ମୋଲୋଟୋଭ୍ କକ୍ଟେଲ୍’ ତିଆରି ବୁଦ୍ଧି ମିଳିଥିଲା।