କରୋନା କାଳରେ ଚିକିତ୍ସା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅଣକୋଭିଡ ରୋଗୀ : ଆଇସିଏମ୍‌ଆର୍‌ ଷ୍ଟଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍-19 ମହାମାରୀ ବ୍ୟାପିବା ପର ଠାରୁ ଚିକିତ୍ସା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଣ କୋଭିଡ୍ ରୋଗୀ। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଧା ଜିଲ୍ଲାରେ ପ୍ରତି ୩ ଜଣରେ ୨ଜଣ ବ୍ୟକ୍ତି ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ନିୟମିତ ଚିକିତ୍ସା ଏବଂ ଡାଏଲିସିସ୍‌ ଭଳି ମେଡିକାଲ ସୁବିଧା ମିଳୁ ନଥିବା କାରଣରୁ ଅଣ କୋଭିଡ୍ ରୋଗୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଇସିଏମ୍‌ଆର୍‌ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ବିତୀୟ ତରଙ୍ଗ ସମୟରେ  ଖୋର୍ଧା ଜିଲ୍ଲା ବିଶେଷକରି ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଅଧିକ ବ୍ଯାପିଥିଲା। ଖୋର୍ଧା ଜିଲ୍ଲା କରୋନା ମହାମାରୀରେ ରାଜ୍ୟର ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାକୁ ଗବେଷଣା ପାଇଁ ଚୟନ କରାଯାଇଥିଲା । ଆଇସିଏମ୍ଆର ପକ୍ଷରୁ ହୋଇଥିବା ଏହି ଗବେଷଣାରେ ସହର‌ାଞ୍ଚଳ ଭାବେ ବିଏମ୍‌ସିକୁ ଏବଂ ଗ୍ରାମାଞ୍ଚଳ ପାଇଁ ଚନ୍ଦକା ଓ ବାଲିପାଟଣା ବ୍ଲକ୍‌କୁ ସାମିଲ କରାଯାଇଥିଲା। ଏହାସହ ଯେଉଁ ରୋଗୀମା‌ନେ ଅଣସଂକ୍ରାମକ ରୋଗ ବା ଏନ୍‌ସିଡିରେ ଆକ୍ରାନ୍ତ ଥିଲେ ସେମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯାଇଥିଲା। ଗତବର୍ଷ ମେ-ଜୁନ୍‌ ମାସରେ ୬ଶହ ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

ଏହି ଅଧ୍ୟୟନରୁ ଜଣା ପଡ଼ିଛି ଯେ ୫୯ ପ୍ରତିଶତ ରୋଗୀ-ଡାକ୍ତରଙ୍କ ସାକ୍ଷାତକାର ପ୍ରଭାବିତ ହୋଇଥିବା ବେଳେ ୫୬ ପ୍ରତିଶତ ଜରୁରୀକାଳୀନ ଚିକିତ୍ସା, ୪୭ ପ୍ରତିଶତ ଫାର୍ମାସି, ୪୬ ପ୍ରତିଶତ ଚିକିତ୍ସା ସେବା , ୬୯ ପ୍ରତିଶତ ରୋଗୀ ନିଜର ରୋଗ ପରୀକ୍ଷା ବା ଇନଭେଷ୍ଟିଗେସନ୍‌, ୬୭ ପ୍ରତିଶତ ଡାଏଲିସିସ୍ ଓ ୬୧ ପ୍ରତିଶତ ମେଡିକାଲ ପହଞ୍ଚିବାରେ ସମସ୍ୟା ହୋଇଥିବା କହିଥିଲେ। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଶେଷ କରି ଯେଉଁମାନଙ୍କର ଏକାଧିକ ଜଟିଳ ରୋଗ ବା କୋ-ମର୍ବିଡ୍‌ ରହିଛି , ସେମାନେ ଅଧିକ ମାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଥିଲା।

ଏସବୁ ବତୀତ କରୋନା ସମୟରେ ଏକାଧିକ ଥର ହସ୍ପିଟାଲ ଯିବା ଦ୍ବାରା ସଂକ୍ରମଣ ଆଶଙ୍କା ସହିତ ସାମାଜିକ ଦୂରତା, ବାଧ୍ୟତାମୂଳକ କ୍ବାରେଣ୍ଟାଇନ , ହସ୍ପିଟାଲରେ ପହଞ୍ଚିବାରେ ସମସ୍ୟା, ଆର୍ଥିକ ସମସ୍ୟା ମଧ୍ୟ ବାଧକ ସାଜିଥିବା ଜଣା ପଡ଼ିଥିଲା । କ‌ରୋନା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ଦୃଷ୍ଟିରୁ ବୟସ୍କ ରୋଗୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ କରୋନା କାଳରେ ଟେଲିମେଡିସିନ୍ ସେବା ଚିକିତ୍ସାର ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।

ଏହି ଅଧ୍ୟୟନରେ କୁହାଯାଇଛି ଯେ ମହାମାରୀ ସମୟରେ ଟେଲିମେଡିସିନ୍ ଜରିଆରେ ରୋଗ ଅନୁଯାୟୀ ଭର୍ଚୁଆଲ କ୍ଲିନିକ୍‌ ଜରିଆରେ ଏନ୍‌ସିଡି ରୋଗୀମାନଙ୍କୁ ସେବା ଦିଆଯାଇ ପାରିବ। ଏତଦ୍ ବ୍ୟତୀତ ସ୍ବାସ୍ଥ୍ୟ ସଚେତନତା ଓ ଗୋଷ୍ଠୀ ସ୍ତରରେ ଉଦ୍ୟମ ଏଭଳି ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ କରୋନା କାଳରେ ଯେପରି ଅନ୍ୟ ରୋଗୀମାନେ ଚିକିତ୍ସା ସୁବିଧାରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ହସ୍ପିଟାଲମାନଙ୍କୁ ତାଗିଦ୍ କରିଥିଲେ। ଏହା ସତ୍ତ୍ବେ ମଧ୍ୟ ବହୁ ସଂଖ୍ୟାରେ ରୋଗୀ ସେବା ପାଇବାରୁ ବଞ୍ଚିତ ହୋଇଥିବା ନଜରକୁ ଆସିଥିଲା। 

Related Posts