ନୂଆପଡା ଫୋକଟ ପଡାରେ ଅଭାବନୀୟ ଘଟଣା: ମଝି ରାସ୍ତାରେ ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ବାପା

ନୂଆପଡା : ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ନିକଟ ଫୋକଟ ପଡାରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରଥମେ ପୁଅ କୁ ହତ୍ୟା କରିବା ପରେ ଶେଷରେ ନିଜ ଆତ୍ମହତ୍ୟା କରିଛି ବାପା । ଏହି ଘଟଣା ପ୍ରଘଟ ହେବା ପରେ ଏବେ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ମଝି ରାସ୍ତାରେ ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଶେଷରେ ଅଭିଯୁକ୍ତ ବାପା ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ନୂଆପଡା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ସହ ଧରମବନ୍ଧା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ନିକଟ ଫୋକଟ ପଡାରେ ୧୪ବର୍ଷ ତଳେ ଗାଁର ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମ ବିବାହ କରିଥିଲା ନକୁଳ ରାଉତଙ୍କ ପୁଅ ସବିତ ରାଉତ । ଯାହାକୁ ବାପା ନକୁଳ ବିରୋଧ କରିଥିଲା । ସେହିଦିନଠାରୁ ବାପ-ପୁଅ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ନଥିବା ବେଳେ ପ୍ରାୟ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା । ଗୁରୁବାର ରାତିରେ ଘରେ ମଦ-ମାଂସ ହେବା ସହ ଭୋଜିର ଆସର ଜମିଥିଲା । ପରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବା ପରେ ଉତ୍ତ୍ୟକ୍ତ ହୋଇ ନକୁଳଙ୍କ ପୁଅ ସବିତର ମୁଣ୍ଡକୁ ଟାଙ୍ଗିଆ ଆକ୍ରମଣ କରିଥିଲେ ।

ଫଳରେ ରାସ୍ତା ଉପରେ ହିଁ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ବେକରେ ରଶି ଲଗାଇ ବାପା ନକୁଳ ଆତ୍ମହତ୍ୟା କରିଛନ୍ତି । ଏନେଇ ଧରମବନ୍ଧା ଥାନାରେ ଏକ ମାମଲା ରୁଜୁ କରି ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଧରମବନ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related Posts