ସଂକଟରେ ମହାରାଷ୍ଟ୍ର ରାଜନୀତି: ବିଦ୍ରୋହୀ ବିଧାୟକଙ୍କ ନେତା ହେଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ : ସଙ୍କଟରେ ମହାରାଷ୍ଟ୍ର ରାଜନୀତି । ଘଡିକେ ଘୋଡ଼ା ଛୁଟୁଛି । ଶାସକ ଓ ବିରୋଧୀଂକ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଫଳରେ ସରଗରମ ରହିଛି ରାଜ୍ୟ ରାଜନୀତି । ଗୌହାଟୀରେ ଥିବା ଶିବସେନାର ବିଦ୍ରୋହୀ ବିଧାୟକ ଗୁରୁବାର ରାତିରେ ବୈଠକ କରିଛନ୍ତି । ସେମାନେ ଏକନାଥ ସିନ୍ଦେଙ୍କୁ ନିଜର ନେତା ବାଛିଛନ୍ତି । ଏହାସହ ଭରତ ଗୋଗାଓ୍ୱାଲେଙ୍କୁ ମୁଖ୍ୟ ସଚେତକ ନିଯୁକ୍ତ କରିଛନ୍ତି । ଏହାପରେ ସେମାନେ ଉପ ବାଚସ୍ପତି ନରହରି ଜିରଓ୍ୱାଲ ଓ ରାଜ୍ୟପାଳ ଭଗତ ସିଂ କେଶ୍ୟାରୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି ।ରାଜ୍ୟପାଳଙ୍କୁ ଲେଖାଯାଇଥିବା ପତ୍ରରେ ୩୭ ବିଧାୟକଙ୍କ ଦସ୍ତଖତ ରହିଛି । ଏହାପୂର୍ବରୁ ବୈଠକରେ ୩୦ ବିଧାୟକ ଉପସ୍ଥିତ ଥିଲେ ।

ଗୁରୁବାର ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଦିନ ତମାମ ଜାରି ରହିଥିଲା । ଦିନସାରା ବୟାନବାଜି ଚାଲିଥିଲା । ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ର ଆସି ଆଲୋଚନା କରିବାକୁ କହିଥିଲେ । ଏହାମଧ୍ୟରେ ଶିବସେନା ଶୁକ୍ରବାର ଜିଲ୍ଲା ସଭାପତିଙ୍କ ବୈଠକ ଡାକିଛି ।

୧୨ ବିଧାୟକଙ୍କ ସଦସ୍ୟତା ରବ୍ଦ ମାଇଁ ନିଷ୍ପତ୍ତି

ଶିବସେନା ବୈଠକରେ ଉପସ୍ଥିତ ନଥିବା ୧୨ ବିଧାୟକଙ୍କ ସଦସ୍ୟତା ରବ୍ଦ ପାଇଁ ଦଳ ନିଷ୍ପତ୍ତି ନେଇଛି । ଦଳର ସାଂସଦ ଅରବିନ୍ଦ ସାଓ୍ୱନ୍ତ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ବୈଠକ ଡକାଯାଇଥିଲା । ଯେଉଁଥିପାଇଁ ହ୍ୱିପ୍ ମଧ୍ୟ ଜାରି କରାଯାଇଥିଲା । ଏହାସତ୍ତ୍ୱେ ଅନେକ ବିଧାୟକ ଉପସ୍ଥିତ ନଥିଲେ । ସେମାନେ ବିଭିନ୍ନ ଆଳ ଦେଖାଇଥିଲେ । ମିଛ କହି ବୈଠକରେ ଉପସ୍ଥିତ ନଥିବା ୧୨ ବିଧାୟକଙ୍କ ସଦସ୍ୟତା ରବ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଶରଦ ପାଓ୍ୱାରଙ୍କ ଚେତାବନୀ

ଏହା ମଧ୍ୟରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ, ସେମାନଙ୍କୁ ବହୁମୂଲ୍ୟ ଭୋଗିବାକୁ ପଡିବ। ଉଦ୍ଧବ ସରକାରଙ୍କ ପାଖରେ ବହୁମତ ରହିଛି ଏବଂ ଏନସିପିର ପୂରା ସମର୍ଥନ ରହିଛି। ଏମଭିଏ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ଥରୁଟିଏ ଶିବସେନାର ବିଧାୟକ ମୁମ୍ବାଇ ଫେରି ଆସିଲେ ସ୍ଥିତି ବଦଳି ଯିବ। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ରହିଛି। ବହୁମତ ନିଷ୍ପତ୍ତି ବିଧାନସଭାରେ ହେବ। ଥରୁଟିଏ ସମସ୍ତ ବିଧାୟକ ମୁମ୍ବାଇ ପହଞ୍ଚିଗଲେ ସ୍ଥିତିରେ ପରିବର୍ତ୍ତନ ଆସିବ। ବର୍ତ୍ତମାନ ସମୟ କାହାର ଦୋଷ ତ୍ରୁଟି ଦେଖିବାର ନୁହେଁ। ମହା ବିକାଶ ଅଘାଡି ସରକାର ଏହି ସଙ୍କଟରୁ ମୁକୁଳିଯିବ। ଶକ୍ତି ପରୀକ୍ଷା କାହା ପାଖରେ ସଂଖ୍ୟା ଗରିଷ୍ଠତା ଅଛି ସ୍ପଷ୍ଟ କରିବ ପାଓ୍ଵାର କହିଥିଲେ ।

Related Posts