ତାଲିବାନ ହାତକୁ ଗଲା ପଞ୍ଜଶୀର ! ଏବେ ପୂରା ଆଫଗାନିସ୍ତାନ ଉପରେ ରାଜ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନର ବିଦ୍ଧିବଦ୍ଧ ସରକାର ଘୋଷଣା ପୂର୍ବରୁ ଆଉ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ତାଲିବାନ ଦାବି କରିଛି ଯେ ସେ ପଞ୍ଜଶୀର ଘାଟି କବଜା କରି ନେଇଛି । କିନ୍ତୁ ଏବେ ସୁଦ୍ଧା ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିରୋଧରେ ପଞ୍ଜଶିରରେ ଏବେ ବି ଲଢ଼େଇ ଜାରି ରହିଥିବା କୁହାଯାଉଛି ।

ସେଠାରେ ବହୁ ସଂଖ୍ୟାରେ ମୃତାହତ ହୋଇଥିବା ନେଇ ସୂଚନା ମିଳିଛି । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ପୂରା ଆଫଗାନିସ୍ତାନ ଏବେ ଆମ କବଜାରେ । ଅନ୍ୟପକ୍ଷରେ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସୋହେଲ । ସେ ଦାବି କରିଛନ୍ତି ଯେ ଯୁଦ୍ଧ ଏବେ ବି ଚାଲିଛି ।

ଗତ କିଛି ଦିନ ହେବ ଅମରୁଲ୍ଲା ସୋହେଲ ଓ ଅହମ୍ମଦ ମସୁଦ ତାଲିବାନକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । କିଛି ଦିନ ପୂର୍ବରୁ ଉଭୟ ତାଲିବାନ ଏବଂ ମସୁଦଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । କିନ୍ତୁ ଏଥିରୁ କୌଣସି ସୁଫଳ ନମିଳିବାରୁ ପଞ୍ଜଶୀର କବଜା କରିବା ପାଇଁ ତାଲିବାନୀ ଆତଙ୍କବାଦୀଙ୍କୁ ପଠାଇଥିଲା । ସେଠାରେ ଘମାସାନ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ୩ ଶହରୁ ଅଧିକ ତାଲିବାନୀ ନିହତ ହୋଇଥିବା ସୂଚନା ମିଳିଛି ।

ଅପରପକ୍ଷରେ ଜମ୍ମୁ କାଶ୍ମୀରକୁ ନେଇ ତାଲିବାନ ପକ୍ଷରୁ ଏକ ବଡ ବୟାନ ସାମ୍ନାକୁ ଆସିଛି । କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଅଧିକାର ବୋଲି ତାଲିବାନ କହିଛି । ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଭାରତର କାଶ୍ମୀର ହେଉକି ଅନ୍ୟ ଦେଶରେ ରହୁଥିବା ମୁସଲମାନଙ୍କ ପାଇଁ ସ୍ୱର ଉତୋଳନ କରିବାର ଅଧିକାର ତାଲିବାନର ରହିଛି ।

ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବି ଦେଶରେ ମୁସଲମାନଙ୍କ ଉପରେ ଅନ୍ୟାୟ ହେଲେ ତାଲିବାନ ପ୍ରତିବାଦ କରିବ । ପ୍ରତ୍ୟେକ ଦେଶରେ ମୁସଲମାନଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ତାଲିବାନର ମୁଖ୍ୟ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ୍ କାଶ୍ମୀର ପ୍ରସଙ୍ଗରେ କହିଥିଲେ, ଏହି ପ୍ରସଙ୍ଗ ଭାରତ – ପାକିସ୍ତନର ଆଭ୍ୟନ୍ତରୀଣ ମାମଲା ଏବଂ ଉଭୟ ଦେଶ ଏକାଠି ବସି ସମାସ୍ୟାର ସମାଧାନ କରିବା ଉଚିତ୍ । 

Related Posts