ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ବିଭିନ୍ନ ସମସ୍ୟା ଓ ବିବାଦ ଯୋଗୁଁ ଓଡ଼ିଶାର କୃଷକମାନଙ୍କୁ ମିଳି ନ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଖୁବ୍‌ ଶୀଘ୍ର ମିଳିଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ତୋମାର୍‌ ଲେଖିଛନ୍ତି: ଏଯାବତ୍‌ ଫସଲ ବୀମା ପାଇ ନ ଥିବା ଓଡ଼ିଶାର ମୁରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଅନେକ ପ୍ରଭାବିତ କୃଷକଙ୍କୁ ‘ଇନ୍‌ପୁଟ୍‌ ଆସିଷ୍ଟାନ୍‌ସ୍‌’ ଯୋଗାଇ ଦେବା ପାଇଁ ନଭେମ୍ବର ୧୫ ତାରିଖରେ କରାଯାଇଥିବା ଘୋଷଣା ପ୍ରତି ଦୃଷ୍ଟି ଆକର୍ଷଣ କରାଇ କେନ୍ଦ୍ର କୃଷିମନ୍ତ୍ରୀ ବୁଧବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ଅଛି, ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର କୃଷକମାନଙ୍କୁ ଫସଲ ବୀମା ଯୋଗାଇ ଦେବା ଲାଗି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଲ ମନ୍ତ୍ରାଳୟଦ୍ବାରା ଗଠିତ ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବହୁ ଥର ଅବଗତ କରାଇଥିଲା। କିନ୍ତୁ, ଏଥି ନିମନ୍ତେ ଥିବା ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ ନ କରି ଥିବାରୁ ପ୍ରଭାବିତ କୃଷକମାନେ ବୀମା ଅର୍ଥ ପାଇବାରେ ବିଳମ୍ବ ଘଟିଛି।

ଉକ୍ତ ପତ୍ରରେ ତୋମାର୍‌ ଲେଖିଛନ୍ତି, ରାଜ୍ୟ ସରକାରମାନଙ୍କ ସହିତ ବିଦ୍ଧିବଧଭାବେ ପରାମର୍ଶ କରି ଭାରତ ସରକାର ୨୦୨୦ ଖରିଫ୍‌ ଋତୁଠାରୁ ‘ରିଭାମ୍ପଡ୍‌ ଅପରେସ୍‌ନାଲ୍‌ ଗାଇଡ୍‌ଲାଇନ୍‌’ ପ୍ରଚଳନ କରିଛନ୍ତି। ଏହାଦ୍ବାରା କୃଷକମାନଙ୍କର ସ୍ବାର୍ଥ ରକ୍ଷା ହେବା ସହିତ ଯୋଗ୍ୟ ବିବେଚିତ କୃଷକମାନେ ସମୟାନୁସାରେ ସହାୟତା ପାଇପାରିବେ। ଏଥିରେ ରାଜ୍ୟମାନଙ୍କର ଭୂମିକା ଓ ଦାୟିତ୍ବ ବିଷୟରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ କରାଯାଇଛି।

ଏହାକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ରାଜ୍ୟସ୍ତରୀୟ ‘ଟେକ୍‌ନିକାଲ୍‌ ଆଡ୍‌ଭାଇଜରି କିମିଟି’ ମଧ୍ୟ ଗଠନ କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ସହାୟତା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ବା ବିବାଦ ରାଜ୍ୟସ୍ତରରେ ହିଁ ସମାଧାନ ହୋଇଯିବା କଥା।

କିନ୍ତୁ, ୨୦୨୧ ଖରିଫ୍‌ ଋତୁରେ ରାଜ୍ୟର କେତେକ ବୀମା ୟୁନିଟ୍‌ରେ ସମସ୍ୟା ସୃଷ୍ଟି ହୋଇଥିବା କଥା ଓଡ଼ିଶା ସରକାର ଭାରତ ସରକାରଙ୍କୁ ୨୦୨୨ ଜୁଲାଇ ୪ ତାରିଖରେ ଅବଗତ କରାଇଥିଲେ। ‘ରିଭାମ୍ପଡ୍‌ ଅପରେସ୍‌ନାଲ୍‌ ଗାଇଡ୍‌ଲାଇନ୍‌’ ଅନୁଯାୟୀ ତର୍ଜମା କରାଯାଇ ତାହାର ସମାଧାନ ପ୍ରକ୍ରିୟା ‘କ୍ଲଜ୍‌ ୧୯’ରେ ଥିବା କଥା ରାଜ୍ୟ ସରକାରଙ୍କୁ ସୂଚାଇ ଦିଆଯାଇଥିଲା।

ସେହି ଅନୁସାରେ, ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି କିଛି ବୀମା ୟୁନିଟ୍‌ର ବିବାଦ ସମାଧାନ କରିଥିବା ବ‌େଳେ ୧୮୯ଟି ବିବାଦ ସମାଧାନ କରି ପାରି ନ ଥିବା କଥା ରାଜ୍ୟ ସରକାର ୨୦୨୨ ସେପ୍ଟେମ୍ବର ୧୬ରେ ଭାରତ ସରକାରଙ୍କୁ ଜଣାଇଥିଲେ। ଉକ୍ତ ମାମଲାଗୁଡ଼ିକୁ ଭାରତ ସରକାରଙ୍କ ‌ବୈଷୟିକ ପରାମର୍ଶ କମିଟି ନିକଟରେ ଉପସ୍ଥାପନ କରାଯିବା ପରେ ଜଣାପଡ଼ିଥିଲା ଯେ, ସେଥିରେ ରାଜ୍ୟ ସରକାରଙ୍କ ସ୍ତରରେ ‘ଟେକ୍ନିକାଲ୍‌ ଆନାଲିସିସ୍‌’ କରାଯାଇ ନାହିଁ। ତେଣୁ, ଭାରତ ସରକାରଙ୍କ ବୈଷୟିକ କମିଟି ଉକ୍ତ ବିବାଦକୁ ‘ମାହାଲାନୋବିସ୍‌ ନ୍ୟାସ୍‌ନାଲ୍‌ କର୍ପ ଫୋର୍‌କାଷ୍ଟ ସେଣ୍ଟର୍‌’କୁ ରେଫର୍‌ କରିଥିଲା।

‘ମାହାଲାନୋବିସ୍‌ ନ୍ୟାସ୍‌ନାଲ୍‌ କର୍ପ ଫୋର୍‌କାଷ୍ଟ ସେଣ୍ଟର୍‌’ ୨୦୨୨ ନଭେମ୍ବର ୩ରେ ଭାରତ ସରକାରଙ୍କ ବୈଷୟିକ କମିଟିରେ ଉପସ୍ଥାପନ କରାଯାଇ ନମେଭମ୍ବର ୭ରେ ‘ଟିଏସି’ର ନିର୍ଦେଶ ଅନୁମୋଦନ କରାଯାଇଥିଲା।

ସେହି ହିସାବରେ ବୀମା କମ୍ପାନିମାନେ ବୀମା ଅର୍ଥ ପ୍ରଦାନ କରୁଛନ୍ତି ଏବଂ ଚଳିତ ସପ୍ତାହ ମଧ୍ୟରେ ବାକି ସମସ୍ତ ବିବାଦ ସମାଧାନ କରାଯିବ। ବିବାଦ ଥିବା ଜିଲ୍ଲାଗୁଡ଼ିକରେ ଅଧିକାଂଶ ବିବାଦ ସମାଧାନ ସରିଛି ଏବଂ ବିବାଦ ଥିବା ୨ଟି ଜିଲ୍ଲାରେ ଦାବି କରାଯାଇଥିବା ୭୨୩ କୋଟି ଟଙ୍କାରୁ ୬୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କ‌େନ୍ଦ୍ର କୃଷିମନ୍ତ୍ରୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି।