ମୂଲ୍ୟବୃଦ୍ଧିକୁ ମାନିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ବର୍ଦ୍ଧିତ ଦରକୁ ନେଇ ସରକାରଙ୍କ ପକ୍ଷରୁ ପକ୍ଷ ରଖିଛନ୍ତି। ଦେଶରେ ମୂଲ୍ୟବୃଦ୍ଧିକୁ କେହି ଅସ୍ୱୀକାର କରିପାରିବେନି ବୋଲି ସେ କହିଛନ୍ତି। ତେବେ ଆମେ ପଳାୟନ କରୁନୁ, ଆମର ମୁଦ୍ରାସ୍ପିତି ହାରର ଏକ ବ୍ୟାଣ୍ଡ ରହିଛି। ଏବେ ମୁଦ୍ରାସ୍ପିତି ହାର ୭ ପ୍ରତିଶତ ଉପରେ ରହୁଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାସ୍ପିତି ହାରକୁ ୭ ପ୍ରତିଶତରୁ ତଳକୁ ଆଣିବା ଲାଗି ଉଦ୍ୟମ କରୁଥିବା ନିର୍ମଳା ଉଚ୍ଚ ସଦନକୁ କହିଛନ୍ତି।

ଅର୍ଥମନ୍ତ୍ରୀ ସୀତାରମଣ ରାଜ୍ୟସଭାରେ ତାଙ୍କର ଉତ୍ତର ରଖି କହିଛନ୍ତି ଯେ ସରକାର ମୁଦ୍ରାସ୍ପିତି ମୁକାବିଲା ଲାଗି ନିର୍ଦ୍ଧାରିତ ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛନ୍ତି। ତେବେ ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ୱର ଅନ୍ୟ ବିକାଶଶୀଳ ଅର୍ଥବ୍ୟବସ୍ଥାଙ୍କ ତୁଳନାରେ ବେଶ୍ ଭଲ ସ୍ଥିତିରେ ଅଛି ବୋଲି ଗୃହକୁ କହିଛନ୍ତି।

ଏଥିସହ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନର ଋଣ ଉଦାହରଣ ଦେଇ ଆମ ଦେଶ ବେଶ ଭଲସ୍ଥିତିରେ ଥିବା ନିର୍ମଳା କହିଛନ୍ତି।

ସେହିପରି ସିଲବନ୍ଦ ଓ ପ୍ୟାକ୍ କରାଯାଇଥିବା ଖାଦ୍ୟ ପଦାର୍ଥ ଉପରେ ୫ ପ୍ରତିଶତ ଜିଏସଟି ପ୍ରସ୍ତାବକୁ ଜିଏସଟି ପରିଷଦରେ ସବୁ ରାଜ୍ୟ ସହମତ ହୋଇଥିଲେ। କୌଣସି ରାଜ୍ୟ ଏହାର ବିରୋଧ କରିନଥିଲେ ବୋଲି କହିଛନ୍ତି। ତେବେ ଦେଶରେ ଖାଇବା ପିଇବା ସାମଗ୍ରୀ ଉପରେ ଶୁଳ୍କ ଲାଗୁର ଏହା ପ୍ରଥମ ଘଟଣା ନୁହେଁ। ଜିଏସଟି ପୂର୍ବରୁ ୨୨ ରାଜ୍ୟରେ ଭାଟ୍ ଥିଲା।

Related Posts