ଗୋବିନ୍ଦ ସାହୁ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହିତ ମମିତା ମେହେରର ଡିଏନଏ ରିପୋର୍ଟର ଅସାମଞ୍ଜସ୍ୟକୁ ନେଇ ପ୍ରଶ୍ନ ଉଠାଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୁରା ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେତେବେଳେ ହାଜତ କିମ୍ବା ଜେଲରେ ଜଣଙ୍କର ମୃତ୍ୟୁ ହୁଏ, ସେତେବେଳେ ଅନେକ ପ୍ରଶ୍ନ ଉଠେ। ଡିଏନଏ ପରୀକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ଯୋଜନା କିମ୍ବା ସଂଯୋଗ ତାହା ପରବର୍ତ୍ତୀ ଅନୁସନ୍ଧାନର ବିଷୟ, କିନ୍ତୁ ଏହା ଭଲ କଥା ନୁହେଁ, ଶୁଭ ଲକ୍ଷଣ ନୁହେଁ। ଯେଉଁମାନଙ୍କ ହାତରେ ଗୃହ, ଆଇନ ବିଭାଗ ଅଛି ଯାହା ପାଖରେ ପୁଲିସ ବିଭାଗ ଅଛି ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ। ଗୃହ ବିଭାଗର ସଚିବ ବି ମୁହଁ ଖୋଲିବା ଦରକାର। ଏହାର ରାଜନୈତିକ ଉତ୍ତର ଯାହାର ଦେବାକୁ ଅଛି, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ। ଅନୁସନ୍ଧାନ ନ୍ୟାୟ ସଂଗତ ହେବା ଦରକାର। ମମିତା ମେହେରକୁ ନେଇ ଯେଉଁ କାଣ୍ଡ ହୋଇଥିଲା, ଡିଏନଏ ଅସାମଞ୍ଜସ୍ୟ କଥା ଆସୁଛି, ସେତେବେଳେ ସନ୍ଦେହ ସୃଷ୍ଟି ହେଉଛି।

ରାଜ୍ୟ ସରକାର ନିଜ ନିରପେକ୍ଷତା ପାଇଁ ଏବଂ ପ୍ରଜାତନ୍ତ୍ରରେ ଲୋକାଚାର ଓ ଉତ୍ତରଦାୟିତ୍ୱର ମହତ୍ତ୍ୱ ଅଛି। ନିଜର ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ ହେବା ଦରକାର। ଆମ ଦଳ ସିବିଆଇ ତଦନ୍ତ ଦାବି କରିଛି, ମୁଁ ବି କହୁଛି ସିବିଆଇ ତଦନ୍ତ ଦାବିରେ ସହମତ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Related Posts