କାବୁଲ୍ ଏୟାରପୋର୍ଟ ଉପରେ ରକେଟ୍ ମାଡ : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ତାଲିବାନ ଦ୍ୱାରା ଆଫଗାନିସ୍ତାନ କବଜା ପରେ ଏବେ ବିସ୍ଫୋରଣ, ରକେଟ୍ ଆଟାକ୍ ଭଳି ଘଟଣା ଘଟିବାରେ ଲାଗିଛି। ଆମେରିକା ଦ୍ୱାରା ଡ୍ରୋନ୍ ଆକ୍ରମଣ ପରେ ସୋମବାର ସକାଳେ ପୁଣି କାବୁଲ ଏୟାରପୋର୍ଟ ନିକଟରେ ରକେଟ୍ ମାଡ କରାଯାଇଥିବାର ଖବର ମିଳୁଛି। ନ୍ୟୁଜ୍ ଏଜେନ୍ସି ରୟଟର ଅନୁଯାୟୀ , କାବୁଲ ଏୟାରପୋର୍ଟକୁ ଟାର୍ଗେଟ୍ କରାଯାଇ ୫ଟି ରକେଟ୍ ଦ୍ୱାରା ଆକ୍ରମଣ କରାଯାଇଛି, ଯାହାକୁ ମିସାଇଲ୍ ଡିଫେନ୍ସ ସିଷ୍ଟମ ଇଣ୍ଟରସେପ୍ଟ କରି ପ୍ରତିରୋଧ କରିଦିଆଯାଇଛି। ଆଜି ସକାଳୁ ସକାଳୁ ଏୟାରପୋର୍ଟ ପାଖରେ ଏହି ହମଲା କରାଯାଇଥିବା ରିପୋର୍ଟରେ କୁହାଯାଇଛି । 

ଏହି ରକେଟ୍ସକୁ ଏକ କାରରେ ରଖାଯାଇ ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିଲା। ତେବେ ରକେଟକୁ ଟାର୍ଗେଟ୍ କରାଯିବା ପାଇଁ ସେହି ଗାଡ଼ିଟି ଧ୍ୱଂସ ହୋଇଯାଇଛି। ଏହି ଧମାକା ପରେ କିଛି ସ୍ଥାନରେ ନିଆଁ ଲାଗିଥିବା ବେଳେ ପ୍ରବଳ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। ଏହାଦ୍ୱାରା ଅନେକ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥି ମଧ୍ୟରୁ ଗୋଟିଏ ରକେଟ୍ ଜଣଙ୍କ ଘର ଭିତରେ ପଶିଯାଇଥିଲା। ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି ଯେ , କାବୁଲ୍ ସମୟ ଅନୁସାରେ, ସକାଳୁ ସକାଳୁ ଉକ୍ତ ରକେଟ୍‌ ସବୁ ନିକ୍ଷେପ କରାଯାଇଥିଲା। 

କିନ୍ତୁ, ସବୁଗୁଡ଼ିକୁ ‘ମସାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌’ଦ୍ବାରା ଖସାଇ ଦିଆଯାଇଛି କି, ନାହିଁ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଆମେରିକା ଏନଏସଏ ଓ ଚିଫ୍ ଅଫ୍ ଷ୍ଟାଫ୍ ଏ ସମ୍ବନ୍ଧରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦେଇଛି। ଆମେରିକା ମୁତାବକ, ସେମାନଙ୍କର ଉଦ୍ଧାର ଅପରେସନ୍ ବିନା ବାଧାରେ ଜାରି ରହିଛି। ଆତଙ୍କବାଦୀ ଆକ୍ରମଣ ବାତାବରଣରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କାବୁଲ୍ ସହର ଉପରେ ସକାଳୁ ରକେଟ୍‌ ଉଡ଼ିବା ଭଳି କିଛି ଶବ୍ଦ ସାମ୍ବାଦିକ ଶୁଣିଥିବା କହିଛନ୍ତି। ‘ଆଇଏସ୍‌ଆଇଏସ୍-କେ’ ବିମାନ ବନ୍ଦର ଉପରେ ରକେଟ୍‌ ନିକ୍ଷେପ କରିବାକୁ ଚାହୁଁଛି ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ଆମେରିକା ସେନାକୁ କାବୁଲ ଛାଡ଼ିବ ଏବଂ ଏହା ପୂର୍ବରୁ କାବୁଲ ଏୟାରପୋର୍ଟ ଓ ଏହାର ଆଖାପାଖ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ମଧ୍ୟ କାବୁଲ ଏୟାରପୋର୍ଟରେ ଆତଙ୍କୀ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୧୩ ଆମେରିକୀୟ ସୈନିକଙ୍କ ସମେତ ଶତାଧିକ ଲୋକଙ୍କର ପ୍ରାଣହାନୀ ହୋଇଥିଲା। ଏହା ପରେ ଆମେରିକା ଦ୍ୱାରା ଏୟାରଷ୍ଟ୍ରାଇକ୍ କରାଯାଇଥିଲା, ଯେଉଁଥିରେ ଆଇଏସଆଇଏସ୍-କେର ଆତଙ୍କୀଙ୍କୁ ଟାର୍ଗେଟ୍ କରାଯାଇଥିଲା। 

Related Posts