ଏ.ଆର୍.ରହମାନଙ୍କ ଗୀତ ପାଇଁ ବ୍ଲକ୍ ହୋଇଥିଲା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ଵିଟର୍ ଆକାଉଣ୍ଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର୍ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଶୁକ୍ରବାର କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ବିଟର ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରି ଦିଆଯାଇଥିବା ନେଇ ମନ୍ତ୍ରୀ ଅଭିଯୋଗ କରିଥିଲେ । ସେ ଟ୍ବିଟ୍ କରି ଏହାର ସୂଚନା ଦେବା ସୋସିଆଲ ମିଡ଼ିଆ କମ୍ପାନିକୁ ଟାର୍ଗେଟ କରିଥିଲେ । ଏବେ ଏହି ମାମଲାରେ ଏକ ଟୁଇଷ୍ଟ୍ ଆସିଛି। ସୂଚନା ମୁତାବକ ଏ.ଆର୍.ରହମାନଙ୍କ “ମା ତୁଝେ ସଲାମ୍” ଗୀତକୁ ସେୟାର୍ କରିଥିବାରୁ ରବିଶଙ୍କରଙ୍କ ଆକାଉଣ୍ଟ ବ୍ଲକ୍ କରିଦିଆଯାଇଥିଲା । ମନ୍ତ୍ରୀଙ୍କ ଟ୍ବିଟର ହ୍ୟାଣ୍ଡେଲକୁ ଏକ ଘଣ୍ଟା ପାଇଁ କାହିଁକି ବନ୍ଦ କରାଯାଇଥିଲା ତାହାର ଜବାବ ଦେଇଛି ଟ୍ବିଟର। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେରିକା କପିରାଇଟ୍ ନିୟମ(ଡିଏମସିଏ) ଆଧାରରେ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା ।

ଟ୍ବିଟର ପ୍ରବକ୍ତା କହିଛନ୍ତି ଯେ ,” DMCA ବିଜ୍ଞପ୍ତି ହେତୁ ମନ୍ତ୍ରୀଙ୍କ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ କରି ଦିଆଯାଇଥିଲା ​​। ଆମର କପିରାଇଟ୍ ନିୟମ ଅନୁଯାୟୀ, ଆମକୁ କପିରାଇଟ୍ ର ମାଲିକ କିମ୍ବା ସେମାନଙ୍କ ପ୍ରାଧିକୃତଙ୍କ ଦ୍ବାରା ପଠାଯାଇଥିବା ବୈଧ କପିରାଇଟ୍ ଅଭିଯୋଗର ଜବାବ ଦେଉଛୁ।”ଡିଏମସିଏ ନୋଟିସ୍ ଅନୁସାରେ, ରବିଶଙ୍କରଙ୍କ ଯେଉଁ ଟୁଇଟ୍ କୁ ନେଇ ତାଙ୍କ ଉପରେ ଆକ୍ସନ୍ ନିଆଯାଇଛି ତାହା ହେଉଛି ୨୦୧୭ ମସିହାର । ଲୁମେନ୍ ଡାଟାବେସ୍ ଦସ୍ତାବିଜ୍ ମୁତାବକ, ଡିଏମସିଏ ପକ୍ଷରୁ ଏହି ନୋଟିସ୍ ୨୪ ଜୁନରେ ଆସିଥିଲା ଏବଂ ଟ୍ବିଟର୍ ୨୫ ଜୁନ୍ ରେ ଏହି ନୋଟିସ ପାଇଥିଲା । ତେଣୁ ଆକାଉଣ୍ଟକୁ ୨୫ ଜୁନ୍ ରେ ବ୍ଲକ୍ କରିଦିଆଯାଇଥିଲା । ଲୁମେନ୍ ଡାଟାବେସରୁ ଜଣାପଡିଛି ଯେ ସୋନି ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟ୍ର ଏକ କ୍ଲିପ୍ ମ୍ୟୁଜିକ୍ ଡାଇରେକଟର୍ ଏ.ଆର୍.ରହମାନଙ୍କ “ମା ତୁଝେ ସଲାମ୍” ଗୀତକୁ ସେୟାର୍ କରିଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ଆକାଉଣ୍ଟ ବ୍ଲକ୍ କରିଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ କୌଣସି ପୂର୍ବ ସୂଚନା ବିନା ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଥିବାରୁ ଟ୍ୱିଟର ଦ୍ୱାରା ଆଇଟି ଗାଇଡଲାଇନର ‘ଉଲ୍ଲଂଘନ’ କରାଯାଇଥିବା ନେଇ ପ୍ରସାଦ ଅଭିଯୋଗ କରିଥିଲେ ।

Related Posts