
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରି ଆସୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପୁଣି ଥରେ ପିଏମ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଚୀନ୍-ପାକିସ୍ତାନ ଭଳି ବିଦେଶୀ ପ୍ରସଙ୍ଗ ହେଉ କିମ୍ବା କରୋନା ଓ ଅର୍ଥନୀତି ଭଳି ଦେଶର ସମସ୍ୟାକୁ ନେଇ ବିଜେପି ସାଂସଦ ଲଗାତାର ମୋଦୀ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଶନିବାର ଦିନ ସ୍ବାମୀ ଟ୍ୱିଟ କରି କହିଛନ୍ତି, “ କିଛି ବନ୍ଧୁ ମୋତେ ପଚାରନ୍ତି ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଥିବା ବେଳେ ବର୍ତ୍ତମାନ ତାଙ୍କର ବିରୋଧ କାହିଁକି କରୁଛି ? କିନ୍ତୁ ଏହି ଆରୋପ ଠିକ୍ ନୁହେଁ । ମୁଁ ଅନ୍ଧ ଭକ୍ତ ଏବଂ ଗନ୍ଧ ଭକ୍ତଙ୍କ ପରି ବ୍ୟକ୍ତିଗତ ଆକ୍ରମଣ କରେ ନାହିଁ। ପାର୍ଟି ଫୋରମ୍ ଏବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ, ତେଣୁ ବିଜେପିର ଆଦର୍ଶ ବିରୁଦ୍ଧରେ ମୋଦୀ ସରକାରଙ୍କ ଭୁଲ ନୀତି ତଥା ଭୁଲ ଆଭିମୁଖ୍ୟକୁ ଖୋଲାଖୋଲି ବିରୋଧ କରିବା ଆବଶ୍ୟକ। ”
ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମୋଦୀଙ୍କ ସମର୍ଥକଙ୍କୁ ସ୍ବମୀ ଆନ୍ଧା-ଗନ୍ଧଭକ୍ତ ବୋଲି ମଧ୍ୟ କହିଛନ୍ତି। ସେ ଏହା ପୂର୍ବରୁ ସୋସିଆଲ ମିଡିଆ ଟ୍ରୋଲଙ୍କୁ ମଧ୍ୟ ଏଭଳି କଡା ଜବାବ ଦେଇଛନ୍ତି। ଗତ ସପ୍ତାହରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଜି -୭ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ନେଇ ପ୍ରଶ୍ନ କରିଥିଲେ, ସେତେବେଳେ ଟ୍ରୋଲ୍ ଆର୍ମି ତାଙ୍କୁ ଜବରଦସ୍ତ ସମାଲୋଚନା କରିଥିଲେ। ସେତେବେଳେ ସ୍ବାମୀ ଟ୍ରୋଲଙ୍କୁ କଡା ଜବାବ ଦେଇ କହିଥିଲେ ଯେ ସେ କେବଳ ପ୍ରଶ୍ନ କରିଛନ୍ତି କିନ୍ତୁ ଅନ୍ଧ ଏବଂ ଗନ୍ଧ ଭକ୍ତ ଏତେ ଭୟଭୀତ ହୋଇ ପଡିଛନ୍ତି କାହିଁକି । ଏହାପୂର୍ବରୁ ମଧ୍ୟ ଯେତେବେଳେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା, ସେତେବେଳେ ମଧ୍ୟ ସ୍ବାମୀ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଗତ ବର୍ଷ ଏପ୍ରିଲରେ ଯେତେବେଳେ କରୋନା ମାମଲା ଦିନକୁ 1 ଲକ୍ଷ ଆସୁଥିଲା ଏବଂ ପରେ ନଭେମ୍ବରରେ 10 ହଜାରକୁ ଖସି ଆସିଥିଲା, ସେତେବେଳେ ଅନ୍ଧ ଭକ୍ତ ଏବଂ ଗାନ୍ଧଭକ୍ତ ଏଥିପାଇଁ କାହାକୁ ଶ୍ରେୟ ଦେଇଥିଲେ ? ଏବେ ପୁଣିଥରେ କରୋନା ମାମଲା ଏକ ଲକ୍ଷ ପାଖାପାଖି , ତେବେ ଏଥିପାଇଁ ଶ୍ରେୟ କିଏ ନେବ ? ସେହିପରି ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ ଓ କଶ୍ମୀର ନେତାଙ୍କ ବୈଠକରେ କାଶ୍ମୀର ପଣ୍ଡିତଙ୍କ ଅନୁପସ୍ଥିତକୁ ନେଇ ଟାର୍ଗେଟ କରିଥିଲେ।