
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାରେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଗୁଆ ଅବସର ନେଇ ରାଜନୀତିରେ ଏଣ୍ଟ୍ରି ମାରିଥିବା ଏହି ପୂର୍ବତନ ଆଇପିଏସ ନିର୍ବାଚନରେ ଟିକେଟ୍ ପାଇନଥିଲେ। କିଛି ଦିନର ନୀରବତା ପରେ ଏବେ ତାଙ୍କୁ ଆଉ ଏକ ଲୁକରେ ଦେଖିବାକୁ ମିଳିଛି। ନେତା ହେବା ପରେ ସେ ବର୍ତ୍ତମାନ ପ୍ରବଚକ ଭାବେ ନଜର ଆସିଛନ୍ତି । ସେ ଧର୍ମ ଏବଂ ଆଧ୍ୟାତ୍ମକୁ ନେଇ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି। ଗୁପ୍ତେଶ୍ଵର ପାଣ୍ଡେ ଗୁରୁବାର ଦିନ ଏକ ଡିଜିଟାଲ୍ ପ୍ଲାଟଫର୍ମରେ ଲାଇଭ୍ ସୋ’ରେ “ଶ୍ରୀମଦ୍ ଭାଗବତ ଗୀତା” ଉପରେ ଆଧାରିତ ପ୍ରଭୁ କୃଷ୍ଣଙ୍କ ଉପରେ ପ୍ରବଚନ ଦେଇଥିଲେ। ଅପରାହ୍ନ 2 ଟାରୁ ଆରମ୍ଭ ହୋଇଥିବା ଏକ ଘଣ୍ଟିଆ ଶୋ ’ପ୍ରତିଦିନ ଅନୁଷ୍ଠିତ ହେବ । ଯେଉଁମାନେ ଲାଇଭ୍ ସୋ ଯୋଗେଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଲାଇଭ ସୋ’ ର ଲିଙ୍କ୍ କିମ୍ବା ଆଇଡି ପ୍ରଦାନ କରାଯାଇଛି । ପ୍ରବଚନ ଦେଲା ବେଳେ ଗୁପ୍ତେଶ୍ୱର ଗେରୁଆ ବସ୍ତ୍ର ସହିତ ଏକ ଧର୍ମଗୁରୁ ଭଳି ଲୁକରେ ଦେଖାଯାଉଛନ୍ତି।

ସକ୍ରିୟ ରାଜନୀତିରେ ସୁଯୋଗ ନମିଳିବା ପରେ ପୂର୍ବତନ ଆଇପିଏସ ଅଫିସର ଧାର୍ମିକ ଗୁରୁରେ ପରିଣତ ହୋଇଥିଲେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଡିଜିପି ପଦବୀରୁ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିବା ପରେ ର ଜେଡିୟୁ ରେ ସାମିଲ୍ ହୋଇଥିଲେ । ବକ୍ସର ଜିଲ୍ଲାର ଗେରୁଆ ଗ୍ରାମରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ପାଣ୍ଡେ ପାଟନା ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ସମାପ୍ତ କରିଛନ୍ତି। ସେ ୧୯୮୭ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ। ସେ ବିହାରର ବିଭିନ୍ନ ଜିଲ୍ଲାରେ ଏଏସପି, ଏସପି, ଏସଏସପି, ଆଇଜି ଏବଂ ଏଡିଜେ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ନିଜର ରୋକଠକ କଥାବାର୍ତ୍ତା ପାଇଁ ଗୁପ୍ତେଶ୍ୱର ପାଣ୍ଡେ ରବୀନ ହୁଡ ପାଣ୍ଡେ ବୋଲି ମଧ୍ୟ ପରିଚିତ ଥିଲେ। ୨୦୦୯ରେ ବକ୍ସର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ଭିଆରଏସ ନେଇଥିଲେ। ତେବେ ଟିକେଟ୍ ନମିଳିବା ପରେ ସେ ପୁଣିଥରେ ପୁଲିସ ଚାକିରିକୁ ଫେରିଥିଲେ। ସେହି ସମୟରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ସେ ପୁଣିଥରେ ୨୦୨୦ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭିଆରଏସ ନେଇ ଜେଡିୟୁରେ ସାମିଲ ହୋଇଥିଲେ, କିନ୍ତୁ ଏଥର ବି ନିର୍ବାଚନରେ ଟିକେଟ୍ ନପାଇ ନିରାଶ ହୋଇଥିଲେ।