ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ଅଜଣା ସାଇବର ହ୍ୟାକର୍ ମାନେ କିଛି ସମୟ ପାଇଁ ହ୍ୟାକ କରି ନେଇଥିବା ଖବର ସାମ୍ନାକୁ ଆସିଛି। ତେବେ ଗତ ସପ୍ତାହରେ ଏମ୍ସର ଦିଲ୍ଲୀ ସର୍ଭର ହ୍ୟାକ କରାଯାଇଥିବା ବେଳେ ଆଜି ମନ୍ତ୍ରଣାଳୟର ଟ୍ୱିଟ ଆକାଉଣ୍ଟ ସହ ସମାନ ଘଟଣା ଘଟିଛି। ତେବେ ଏହା ହେଉଛି ସରକାରୀ ସଂସ୍ଥା ଉପରେ ଏହା ଦ୍ଵିତୀୟ ସାଇବର ଆଟାକ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ମନ୍ତ୍ରଣାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ଏହାପରେ କିଛି ସନ୍ଦେହଜନକ ବିଷୟବସ୍ତକୁ ମନ୍ତ୍ରଣାଳୟ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। କ୍ରିପ୍ଟୋ ସଂସ୍ଥା ସୁଇ ୱାଲେଟର ପ୍ରଚାର କରି ଭୋର ୫.୩୮ରେ ଗୋଟିଏ ପୋଷ୍ଟ ଆକାଉଣ୍ଟରୁ କରାଯାଇଥିଲା। ଆକାଉଣ୍ଟର ପ୍ରୋଫାଇଲ ପିକଚରରେ ପୂର୍ବରୁ ଭାରତର ପତାକା ରହିଥିଲା। କିନ୍ତୁ ଆଜି ସକାଳୁ ସୁଇ ଲୋଗୋ ମଧ୍ୟ ଲାଗିଥିଲା। ସେହିପରି କଭର ପିକଚରରେ ମଧ୍ୟ ସୁଇର ଫଟୋ ଓ ଲୋଗ ଦେଖିବାକୁ ମିଳିଥିଲା।

ଏଥିସହ ବିଭିନ୍ନ ଅଜଣା ଆକାଉଣ୍ଟକୁ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟରୁ ଟ୍ୟାଗ ମଧ୍ୟ କରାଯାଇଥିଲା। ତେବେ କିଛି ସମୟ ପରେ ସବୁ କିଛି ଡିଲିଟ ହୋଇଥିଲା ଓ ଏହାପୁଣି ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ସୁରକ୍ଷା ଏଜେନ୍ସି ଓ ସାଇବର ବିଶେଷଜ୍ଞମାନେ ଘଟଣାର ତଦନ୍ତ ଆରମ୍ଭ କରଛନ୍ତି। ତେବେ ଏହାପୂର୍ବରୁ ଏମ୍ସ ସର୍ଭର ହ୍ୟାକ କରି ମଧ୍ୟ କିଛି ବ୍ୟକ୍ତିଙ୍କୁ ଟଙ୍କା ମାଗଯାଇଥିଲା।