ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋମବାର ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିରୋଧୀଦଳଙ୍କ ଦ୍ୱାରା ପ୍ରାର୍ଥୀ ହୋଇଥିବା ଯଶବନ୍ତ ସିହ୍ନା ଆଜି ସମସ୍ତ ରାଜନୈତିକ ଦଳକୁ ତାଙ୍କୁ ଭୋଟ ଦେବାକୁ ଅନ୍ତିମ ଆବେଦନ କରିଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଯଶୋବନ୍ତ ସିହ୍ନା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଏଥର ରାଷ୍ଟ୍ରପତି ନିର୍ବାଚନ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ନୁହେଁ, ବରଂ ଏହା ଦୁଇଟି ବିଚାରଧାରା ଏବଂ ଆଦର୍ଶ ମଧ୍ୟରେ ଲଢ଼େଇ ହେଉଛି।

ଯଶୱନ୍ତ କହିଛନ୍ତି, ମୁଁ ଧର୍ମନିରପେକ୍ଷତାର ପ୍ରତିରକ୍ଷା ପାଇଁ ଛିଡା ହୋଇଛି, ଯାହା ଆମର ସମ୍ବିଧାନର ଏକ ପ୍ରାଥମିକ ସ୍ତମ୍ଭ। ମୋର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଏଭଳି ଏକ ଦଳରୁ ଆସିଛନ୍ତି ଯିଏ ଏହି ସ୍ତମ୍ଭକୁ ଧ୍ୱଂସ କରିବା ଏବଂ ସଂଖ୍ୟାଗରିଷ୍ଠତା ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି କହିଛନ୍ତି ” ଭାରତର ସମ୍ବିଧାନ କୁ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରତିଦିନ ହତ୍ୟା କରାଯାଉଛି। ଆମ ଦେଶର ସମ୍ବିଧାନକୁ ରକ୍ଷା କରିବାକୁ ଏହି ନିର୍ବାଚନ ରେ ମୁଁ ପ୍ରତିନିଧିତ୍ଵ କରୁଛି”।

ସୂଚନାଯୋଗ୍ୟ ସିହ୍ନା ଟୁଇଟରରେ ଏକ ଭିଡିଓ ଶେୟାର କରି ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ସେମାନଙ୍କ ଜ୍ଞାନ ଅନୁଯାୟୀ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ ପ୍ରଶାସନିକ ସେବାରୁ ରାଜନେତା ପାଲଟି ଥିବା ଯଶୱନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀ ସରକାରରେ ବୈଦେଶିକ ବ୍ୟାପାର ଏବଂ ଅର୍ଥ ମନ୍ତ୍ରଣାଳୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ।